ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ନେଇ ଜବାବ ରଖିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଉଦ୍ୟମ ଚାଲିଛି। ବିଭିନ୍ନ ସମୟରେ ଓପିଏସ୍‌ସି ଜରିଆରେ ଡାକ୍ତରଙ୍କୁ ନିଯୁକ୍ତ କରାଯାଉଛି। ନିକଟରେ ୩୬୩ ଡାକ୍ତର ପଦବି ପୂରଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ମଂଜୁର ଡାକ୍ତର ପଦବି ପୂରଣ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।

Advertisment

ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫୦ ପ୍ରତିଶତ ଡାକ୍ତର ପଦବି ଖାଲି ପଡ଼ିଥିବା ନେଇ ‘ସମ୍ବାଦ’ରେ ଗତ ନଭେମ୍ବର ମାସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜିଲ୍ଲା ପାଇଁ ୫୬୭ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୨୮୧ ପଦବି ଖାଲି ପଡ଼ିଥିଲା। ମାତ୍ର ୨୮୬ ଜଣ ଡାକ୍ତରଙ୍କୁ ନେଇ ଜିଲ୍ଲାର ସ୍ବାସ୍ଥ୍ୟସେବା ଚାଲିଥିଲା। ସେହିପରି ଗ୍ରାମାଞ୍ଚଳ ଡାକ୍ତରଖାନାରେ ବିଶେଷଜ୍ଞଙ୍କ ଅଭାବ ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା।

ଏହି ରିପୋର୍ଟକୁ ଭିତ୍ତି କରି ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ। ଜିଲ୍ଲାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଆକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏଟିଆର୍‌ର ଜବାଦ ଦାଖଲ କରାଯାଇଛି। ଡାକ୍ତର ପଦବି ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏଥିରେ ଦର୍ଶାଯାଇଛି।