ଫୁଲବାଣୀ: ସରକାର ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ଏଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଡାକ୍ତର ସମସ୍ୟା କଥା ଭୁଲି ଯାଉଛନ୍ତି। କନ୍ଧମାଳ ଭଳି ଏକ ଅନୁନ୍ନତ ଏବଂ ଆଦିବାସୀବହୁଳ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଏକ ଆହ୍ବାନ ପାଲଟିଥିବାବେଳେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କଥା ନ କହିବା ଭଲ। ଫୁଲବାଣୀଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ‌ିଶେଷଜ୍ଞ ଡାକ୍ତର ଅଭାବଜନିତ ସମସ୍ୟା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଡାକ୍ତରଖାନାରେ ୭୦ଟି ଡାକ୍ତର ‌ପଦବି ରହିଥିବାବେଳେ ବର୍ତ୍ତମାନ ମାତ୍ର ୩୫ ଜଣ ଡାକ୍ତର ଅଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ, ସର୍ଜରି, ଅର୍ଥୋପେଡ଼ିକ, ଆନାସ୍ଥେସିଆ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଚକ୍ଷୁ, ଗଳା ଓ ନାସା, ଚର୍ମ, ରେଡିଓଲୋଜି ଆଦି ବିଭିନ୍ନ ବିଭାଗରେ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଅବସ୍ଥା ଯଦି ଏହିଭଳି ତେବେ ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକର ସ୍ଥିତି କ’ଣ ଥିବା ତାହା ସ୍ପଷ୍ଟ ଅନୁମେୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମେଡିସିନ ବିଭାଗରେ ମୋଟ ୪ ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ୩ଟି ପଦବୀ ଫାଙ୍କା ରହିଛି। ସେହିଭଳି ସର୍ଜରି ବିଭାଗର ମୋଟ ୪ଟି ବିଶେଷଜ୍ଞ ପଦବୀରୁ ଗୋଟିଏ ପଦବି ଶୂନ୍ୟ ପଡ଼ିଥିବାବେଳେ ଅର୍ଥୋପେଡିକ୍‌ ବିଭାଗରେ ମୋଟ ୩ଟି ବିଶେଷଜ୍ଞ ପଦବିରୁ ଗୋଟିଏ, ଆନାସ୍ଥେସିଆ ବିଭାଗରେ ୩ଟି ବିଶେଷଜ୍ଞ ପଦବିରୁ ଗୋଟିଏ, ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ମୋଟ ୫ଟି ବିଶେଷଜ୍ଞ ପଦବୀରୁ ୨ଟି, ଶିଶୁରୋଗ ବିଭାଗର ମୋଟ ୪ଟି ବିଶେଷଜ୍ଞ ପଦବୀରୁ ୨ଟି, ପାଥୋଲୋଜି ବିଭାଗରେ ୨ଟି ବିଶେଷଜ୍ଞ ପଦବୀରୁ ଗୋଟିଏ, ଚକ୍ଷୁ ବିଭାଗର ୨ଟି ବିଶେଷଜ୍ଞ ପଦବୀରୁ ଗୋଟିଏ, ଚର୍ମ ବିଭାଗର ୪ଟି ବିଶେଷଜ୍ଞ ପଦବୀରୁ ଗୋଟିଏ ଏବଂ ରେଡିଓଲୋଜି ବିଭାଗରେ ମାତ୍ର ଗୋଟିଏ ବିଶେଷଜ୍ଞ ପଦବି ଥିବାବେଳେ ତାହା ଫାଙ୍କା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରମାନଙ୍କ ଅଭାବ କାରଣରୁ ସ୍ବାସ୍ଥ୍ୟ ସେବାରେ ନାନା ବିଭ୍ରାଟ ପରିଲକ୍ଷିତ ହେଉଛି।

ବିଶେଷକରି ବିଭିନ୍ନ ବିଭାଗରେ ଉନ୍ନତମାନର ମେସିନ୍‌ ଓ ଯନ୍ତ୍ରପାତି ଥିବାବେ‌ଳେ ବିଶେଷଜ୍ଞ ଡାକ୍ତର ନଥିବାରୁ ଏସବୁ ମେସିନ ଓ ଯନ୍ତ୍ରପାତି ପରିଚାଳନା କରିବାରେ ମଧ୍ୟ ସମସ୍ୟା ଦେଖା ଦେଇଛି। ଫଳରେ ବହୁ ମୂଲ୍ୟ ମେସିନ ଓ ଯନ୍ତ୍ରପାତି ବ୍ୟବହାର ନ ହୋଇ ପଡ଼ି ଖତ ଖାଉଛି। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ବହୁ ପ୍ରଶାସନିକ ଅଧିକାରୀ ପଦବି ମଧ୍ୟ ଖାଲି ପଡ଼ିଛି। ୩ଟି ବରିଷ୍ଠ ମେଡିକାଲ ଅଫିସର ପଦବି ଖାଲି ପଡ଼ିଥିବାବେଳେ ଯକ୍ଷ୍ମା ରୋଗ ବିଭାଗର ଏଡିପିଏଚ୍‌ଓ ପଦବି ମଧ୍ୟ ଖାଲି ପଡ଼ିଛି। କନ୍ଧମାଳ ଜିଲ୍ଲାରେ ଆଦିବାସୀ ଅଞ୍ଚଳମାନଙ୍କରେ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ‌ରୋଗ ସମସ୍ୟା ଜଟିଳ ଥିବାବେଳେ ଏହି ଦୁଇଟି ବିଭାଗରେ ବିଶେଷଜ୍ଞ ଡାକ୍ତର ନ ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନ୍ୟପଟେ ବର୍ତ୍ତମାନ ଆଦିବାସୀ ଇଲାକାଗୁଡ଼ିକରେ ହଇଜା, ମ୍ୟାଲେରିଆ, ଡେଙ୍ଗୁ, ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଦେଖା ଦେଇଛି। ସ୍ବାସ୍ଥ୍ୟ ସେବା ପାଇଁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳର ଆଦିବାସୀ ଓ ଗରିବ ରୋଗୀମାନେ ଫୁଲବାଣୀଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି। ଜିଲ୍ଲାର ଧନୀ ରୋଗୀମାନେ କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ଉପରେ ନିର୍ଭର କରୁଥିବାବେଳେ ଗରିବ ଆଦିବାସୀ ରୋଗୀଙ୍କ ପାଇଁ ଫୁଲବାଣୀଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକମାତ୍ର ସାହା ଭରସା ପାଲଟିଥାଏ। ମାତ୍ର, ଡାକ୍ତର ଅଭାବ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଏବେ ଜଟିଳ ହୋଇପଡ଼ିଛି। ସରକାର ଯୁଦ୍ଧକାଳୀନ ଭିତ୍ତିରେ କନ୍ଧମାଳ ଜିଲ୍ଲାରେ ଡାକ୍ତର ପଦବୀ ପୂରଣ କରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।