ପ୍ରଥମ ଲହରରେ ୮, ଦ୍ୱିତୀୟରେ ୪୨ ଜଣଙ୍କ ମୃତ୍ୟୁ
କର୍ମଚାରୀଙ୍କ ୧୯ ସଂପର୍କୀୟ ବି ପରଲୋକରେ
ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ଉପରମୁହାଁ। କୋଭିଡ୍ ମୃତ୍ୟୁ ମଧ୍ୟ ବେଶ୍ ଅଧିକ। ବେଶ୍ କିଛିଦିନ ହେଲା ଦୈନିକ ୨/୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) କର୍ମଚାରୀ। ତେବେ ଆର୍ଏସ୍ପି କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଆର୍ଏସ୍ପିର ୫୦ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି। ତଥାପି କରୋନା ପ୍ରତିହତ କରିବାକୁ କାରଖାନା କର୍ତୃପକ୍ଷ ପର୍ଯ୍ୟାପ୍ତ ପଦକ୍ଷେପ ନେଉନାହାନ୍ତି। କାର୍ଯ୍ୟକ୍ଷେତ୍ରରେ କୋଭିଡ୍ ନିୟମର କଡ଼ା ପାଳନଠାରୁ ଆରମ୍ଭ କରି ଟିକାକରଣ, ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଉନଥିବାରୁ କାରଖାନାରେ କରୋନା ମୃତ୍ୟୁ ଓ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ପଷ୍ଟ ଜଣାପଡ଼େ।
ଗତବର୍ଷ କରୋନା ପ୍ରଥମ ଲହରୀରେ କାରଖାନାର ୮ ଜଣ କର୍ମଚାରୀଙ୍କ ପ୍ରାଣହାନୀ ଘଟିଥିଲା। ଏବର୍ଷ ଦ୍ୱିତୀୟ ଲହର କିନ୍ତୁ ସର୍ବାଧିକ ଜୀବନ ନେଇସାରିଲାଣି। ଦ୍ୱିତୀୟ ଲହରରେ ପ୍ରଥମ ମୃତ୍ୟୁ ଏପ୍ରିଲ ୧୦ ତାରିଖରେ ଦେଖିବାକୁ ମିଳିଥିଲା। ଉକ୍ତ ଦିନ ୨ ଜଣ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହାପରଠାରୁ ଏହି ଧାରା ଜାରି ରହିଛି। ଗତ୧୯ ତାରିଖ ସୁଦ୍ଧା ୪୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ୪୨ ଜଣଙ୍କ ମଧ୍ୟରୁ ଇସ୍ପାତ ଜେନେରାଲ ହସପିଟାଲ୍(ଆଇଜିଏଚ୍)ରେ ୩୪ ଜଣ, ରାଉରକେଲା ସ୍ଥିତ କୋଭିଡ ହସପିଟାଲରେ ୬ ଜଣ ଓ ଜିଲ୍ଲା ବାହାରେ ଥିବା ହସପିଟାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ କେବଳ କର୍ମଚାରୀ ନାହାନ୍ତି, ବରଂ ବରିଷ୍ଠ ଅଧିକାରୀ, ଯଥା-ମହାପ୍ରବନ୍ଧକ, ଡିଜିଏମ୍, ଏଜିଏମ୍ ମଧ୍ୟ ଅଛନ୍ତି। ମୃତ୍ୟୁବରଣ କରିଥିବା ୮ ଅଧିକାରୀଙ୍କ ମଧ୍ୟରୁ ୨ ଜଣ ଜିଏମ୍ ଏବଂ ଅନ୍ୟ ୬ ଜଣ ଡିଜିଏମ୍ ଓ ଏଜିଏମ୍ ଅଛନ୍ତି। କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଛି।
କର୍ମଚାରୀଙ୍କର ପ୍ରାୟ ୧୯ ଜଣ ସଂପର୍କୀୟଙ୍କ ମଧ୍ୟ ଅକାଳ ବିୟୋଗ ଘଟିଛି। ଦୁଃଖ ଏତିକିରେ ସୀମିତ ରହିନି, ଏମିତିକି ଦୁଇ କର୍ମଚାରୀଙ୍କ ପତ୍ନୀଙ୍କ ମଧ୍ୟ ବିୟୋଗ ଘଟିଛି। ଫଳରେ ସେମାନଙ୍କ ପୁଅଝିଅ ବାପା-ମା’ ଛେଉଣ୍ଡ ହୋଇଯାଇଛନ୍ତି। ଗତବର୍ଷ ଜଣେ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କ ବିୟୋଗ ଘଟିଥିବାବେଳେ କିଛି ଦିନ ପୂର୍ବେ କରୋନାରେ ଅନ୍ୟ ଜଣେ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି।
କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ଭଳି ଆକ୍ରାନ୍ତ ସଂଖ୍ୟା ମଧ୍ୟ ଢ଼େର୍ ଅଧିକ। ବେସରକାରୀ ସୂତ୍ରରୁ ଜଣାପଡ଼େ ଯେ କରୋନାରେ ପ୍ରାୟ ୮ଶହ ଜଣ କର୍ମଚାରୀ ଆକ୍ରାନ୍ତ ହୋଇସାରିଲେଣି। ଏଥିମଧ୍ୟରୁ ପ୍ରାୟ ୪ ଶହରୁ ଅଧିକ ସୁସ୍ଥ ହୋଇସାରିଥିବାବେଳେ ଅନ୍ୟମାନେ ଚିକିତ୍ସାଧିନ। ଏମିତିକି ପ୍ରାୟ ୫ ଶହ କର୍ମଚାରୀ ସଙ୍ଗରୋଧରେ ଥିବା ଜଣାପଡ଼ିଛି। ଏହି ମୃତ୍ୟୁହାର ଆର୍ଏସ୍ପି କର୍ମଚାରୀ ମହଲରେ କୋକୁଆ ଭୟ ଖେଳାଇଦେଇଛି। ସଂକ୍ରମଣ ରୋକିବାକୁ ବ୍ୟାପକ ଟେଷ୍ଟିଂ ବ୍ୟବସ୍ଥା, ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା, ଟିକାକରଣ ତଥା କୋଭିଡ୍ ନିୟମର କଡ଼ା ପାଳନ ହିଁ ଏକମାତ୍ର ବିକଳ୍ପ। କିନ୍ତୁ ଆର୍ଏସ୍ପି କର୍ତୃପକ୍ଷ ଏ ଦିଗରେ ଆଖିବୁଜି ଦେଇଥିବା ପରି ମନେ ହୁଏ। ୬୦/୭୦ ପ୍ରତିଶତ କର୍ମଚାରୀଙ୍କୁ ଡ୍ୟୁଟିରେ ନିୟୋଜିତ କରାଯିବା ବଦଳରେ ଶତ ପ୍ରତିଶତ ଉପସ୍ଥାନ ଧାରାରେ କାର୍ଯ୍ୟଚାଲିଛି। ସେହିଭଳି କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ବ୍ୟାପକ ଟେଷ୍ଟିଂ ବ୍ୟବସ୍ଥା, ୱାର୍କ ଫ୍ରମ୍ ହୋମ୍, ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଆଦିକୁ ପ୍ରାଥମିକତା ଦିଆନଯିବା ପର୍ଯ୍ୟନ୍ତ; ଏହି ସଂଖ୍ୟା ଆଖିଦୃଶିଆ ପରିବର୍ତ୍ତନ ଆଶା କରାଯାଇନପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/rsp.jpg)