ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ, ୨୧ ଗୁରୁତର

ସୁକିନ୍ଦା : ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ହାତୀବାରି କସ୍ତୁରବା ଆବାସିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଆଜି ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଯାଇଛି। ଅନ୍ୟମାନଙ୍କୁ ଆବାସିକ ବିଦ୍ୟାଳୟ ପରିସରରେ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଘଟଣା ଅନୁଯାୟୀ ଆବାସିକ ବିଦ୍ୟାଳୟର ପିଲାମାନେ ସକାଳ ଜଳଖିଆରେ ପାଉଁରୁଟି ଓ ବିସ୍କୁଟ୍‌ ଖାଇଥିଲେ। ସେତେବେଳେ ପିଲାମାନଙ୍କ ଅବସ୍ଥା ଠିକ୍‌ଠାକ୍‌ ଥିଲା।  ମଧ୍ୟାହ୍ନ ଭୋଜନ ପରେ ହଠାତ୍‌ ପିଲାମାନଙ୍କ ଅବସ୍ଥା ଖରାପ୍‌ ହୋଇଯାଇଥିଲା। ଅଧିକାଂଶ ପିଲା ଝାଡ଼ାବାନ୍ତିର ଶିକାର ହୋଇଥିଲେ। ସ୍କୁଲ୍‌ କର୍ତ୍ତୃପକ୍ଷ ଅପରାହ୍ନ ୩ଟା ବେଳେ ସମସ୍ତଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଛାତ୍ରୀମାନେ ହେଲେ:   ଝୁନାରାଣୀ ମହାନ୍ତ(୧୨), କୁମୁଦିନି ମହାନ୍ତ(୧୪), ଟିକି ମାଝୀ(୧୧), ସସ୍ମିତା ମହାନ୍ତ(୧୫), ବର୍ଷା ମହାନ୍ତ(୧୨), ଗୀତା ମହାନ୍ତ(୧୧), ଲିଜା ମଳିକ(୧୧), ସରସ୍ୱତୀ ବାରିକ(୧୨), ଗୀତା ମହାନ୍ତ(୧୬), ଗୋଲାପ ମହାନ୍ତ(୧୫), ସଂଧ୍ୟାରାଣୀ ମହାନ୍ତ(୧୩), ଶଙ୍କରୀ ପୂର୍ତ୍ତିି(୧୧), ଗୀତାରାଣୀ ମହାନ୍ତ(୧୩), ଶ୍ରାବଣୀ ନାୟକ(୧୩),  ରଶ୍ମିତା ମଲ୍ଲିକ(୧୪), ମାନସୀ ମଲିକ(୧୧), ଭାଗ୍ୟଶ୍ରୀ ଦଳେଇ(୧୧), ପଦ୍ମିନୀ ମୁଣ୍ଡା(୧୨), ସଂଜୁଲତା ମହାନ୍ତ(୧୨), କଳ୍ପନା ମହାନ୍ତ(୧୪) ଓ ନମିତା ମହାନ୍ତ(୧୩)। ଅନ୍ୟ କେତେଜଣଙ୍କୁ ବିଦ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଅତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ହେମନ୍ତ କୁମାର ଦାସଙ୍କ ସହ ଏକ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ପିଲାମାନଙ୍କ ଚିକିତ୍ସା କରୁଛନ୍ତି।

ଏ ସମ୍ପର୍କରେ ଖବର ପାଇ ସୁକିନ୍ଦା ବିଡ଼ିଓ ଶୈଳେନ୍ଦ୍ର କୁମାର ଜେନା, ତହସିଲ୍‌ଦାର ନବକୃଷ୍ଣ ଜେନା, ସୁକିନ୍ଦା ବ୍ଲକ୍‌ ଉପାଧ୍ୟକ୍ଷ ଦିବ୍ୟଲୋଚନ ବରାଳ, ବ୍ଲକ୍‌ ଶିକ୍ଷାଧିକାରୀ ଗୋବର୍ଦ୍ଧନ ପ୍ରଧାନ, ହରିପୁର ରାଜସ୍ୱ ନିରୀକ୍ଷକ ଅସରଫ୍‌ ଅଲ୍ଲୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ତେବେ, ଡାକ୍ତରଖାନାରେ ଅବ୍ୟବସ୍ଥା କାରଣରୁ ପିଲାମାନଙ୍କର ଠିକ୍‌ ଭାବେ ଚିକିତ୍ସା ହୋଇପାରିନଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର