ଓଜେଏସ୍ ପରୀକ୍ଷାରେ ୫୦ ଜଣ କୃତକାର୍ଯ୍ୟ; ଆଦ୍ୟାଶା ଟପର୍‌, ଚେତନା ଦ୍ବିତୀୟ

କୃତକାର୍ଯ୍ୟ ତାଲିକାରେ ୨୮ ଝିଅ

କଟକ : ଓଡ଼ିଶା ଜୁଡିସିଆଲ ସର୍ଭିସ୍‌( ଓଜେଏସ୍) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ( ଓପିଏସ୍‌ସି) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ୫୦ ଜଣ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ଏହି ସମ୍ମାନଜନକ ପରୀକ୍ଷାରେ ପୁଣିଥରେ ଝିଅମ‌ାନଙ୍କ ସଫଳତା ହାର ପୁଅଙ୍କ ତୁଳନାରେ ଅଧିକ ରହିଛି। ୫୦ ଜଣଙ୍କ ମଧ୍ୟରେ ୨୮ ଜଣ ଝିଅ ରହିଛନ୍ତି। ଅନ୍ୟପଟେ ପ୍ରଥମ ୩ ଜଣ ଟପର୍‌ ବି ହେଉଛନ୍ତି ଝିଅ। ଭୁବନେଶ୍ବରର ଆଦ୍ୟାଶା ମିଶ୍ର ପରୀକ୍ଷାରେ ଟପର୍‌ ହୋଇଥିବା ବେଳେ କଟକ ତୁଳସୀପୁରର ଚେତନା ପଟ୍ଟନାୟକ ଦ୍ବିତୀୟ ଓ ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଝିଅଙ୍କ ପାଇଁ ୧୭ଟି ପଦବି ସଂରକ୍ଷିତ ଥିଲେ ବି ଅସଂରକ୍ଷିତ ବର୍ଗରେ ଝିଅମାନେ ସଫଳ ହୋଇପାରିଛନ୍ତି। ଓପିଏସ୍‌ସି ପକ୍ଷରୁ ଏହି ୫୦ଜଣଙ୍କ ନାମ ଓଡ଼ିଶା ସିଭିଲ୍‌ ଜଜ୍ ପଦବିରେ ନିଯୁକ୍ତି ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୧-୨୨ର ୫୩ଟି ଓଜେଏସ୍ ପଦବି ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା। ଲିଖତ ପରୀକ୍ଷାରେ ୩୨୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୦ ଜଣ ସାକ୍ଷାତକାର ପରୀକ୍ଷା ଦେଇଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟରେ ନିଯୁକ୍ତି ପାଇଁ ମନୋନୀତ କରାଯାଇଛି। ଏଥିରେ ଅନୁସୂଚିତ ଜନଜାତି ପାଇଁ ୧୨ଟି ପଦବି ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତି ପାଇଁ ୯ଟି, ଏସ୍‌ସିବିସି ପାଇଁ ୬ଟି ଓ ଭିନ୍ନକ୍ଷମଙ୍କ ପାଇଁ ୪ଟି ପଦବି ସଂରକ୍ଷିତ ରହିଥିଲା। ୨୨ଟି ପଦବି ଅସରଂକ୍ଷିତ ରହିଥିଲା।

ସମ୍ବନ୍ଧିତ ଖବର