ନିର୍ଦ୍ଦେଶ ଅମାନ୍ୟ କରି ମଲ୍‌ ଖୋଲିବା ଅଭିଯୋଗ, ଆନନ୍ଦ ସୁପର ବଜାରକୁ ୫୦ ହଜାର ଜରିମାନା

ସମ୍ବଲପୁର: ସୋମବାର ସକାଳେ ସମ୍ବଲପୁରର ସମସ୍ତ ମଲ୍ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରା ଯାଇଥିଲା। ମହାନଗର ନିଗମ ଓ ପୁଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ସହରରେ ବୁଲି ବୁଲି ବିଭିନ୍ନ ମଲ୍ ବନ୍ଦ କରାଇଥିଲେ। ତେବେ ସଂଧ୍ୟାରେ ପୁଣି କିଛି ମଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା। ସଂଧ୍ୟାରେ ଆନନ୍ଦ ସୁପର୍ ବଜାର ଷ୍ଟୋର୍ ଖୋଲା ଥିବାରୁ ସରକାରୀ ନିର୍ଦ୍ଦେଶର ଅବମାନନା ଅଭିଯୋଗରେ ୫୦ ହଜାର ଟଙ୍କା ଜରିମାନା କରା ଯାଇଥିବା ଏସ୍‌ଏମ୍‌ସି କମିସନର୍‌ ସୂଚନା ଦେଇଛନ୍ତି। ଏହା ଜଣା ପଡ଼ିବା ପରେ ଖୋଲିଥିବା ଅନ୍ୟ ମଲ୍‌ମାନେ ସତର୍କ ହୋଇ ତୁରନ୍ତ ‌ବନ୍ଦ କରି ଦେଇଥିବା ଜଣା ପଡ଼ିଛି। କିଛି ମଲ୍‌ ପକ୍ଷରୁ ନିଜ ଗ୍ରାହକଙ୍କୁ ‌ଏସ୍‌ଏମ୍‌ଏସ୍‌ କରି ଏକ ନିର୍ଦ୍ଦିଷ୍ଟ ହ୍ବାଟ୍‌ସଆପ୍ ନମ୍ବର ପ୍ରଦାନ କରାଯାଇଛି। ଉକ୍ତ ହ୍ବାଟ୍‌ସଆପ୍ ନମ୍ବରରେ ଅର୍ଡର କଲେ ସାମଗ୍ରୀ ଘରେ ପହଞ୍ଚାଇ ଦିଆଯିବ ବୋଲି କୁହାଯାଇଛି। ଆଉ କିଛି ମଲ୍ ଦିନ ସାରା ପଛ ଦରଜା ବା ସମ୍ମୁଖ ସଟର୍‌କୁ ଅଧଖୋଲା କରି ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି। ପନିପରିବା ଓ ଖାଉଟି ସାମଗ୍ରୀ ବିକ୍ରି କରୁଥିବା ମଲ୍ ଗୁଡ଼ିକ ଏଭଳି ଉପାୟ ଅବଲମ୍ବନ କରୁଥିଲାବେଳେ ପୋଷାକ ପତ୍ର ବିକ୍ରି କରୁଥିବା କିଛି ବଡ଼ ଷ୍ଟୋର୍ ବି ଅନାବଶ୍ୟକଭାବେ ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ କରି ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର