ଭଞ୍ଜନଗର : ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ ଗାଲେରୀ ଗ୍ରାମର ଅଧିଷ୍ଠାତ୍ରୀ ମା’ଦଣ୍ଡକାଳୀଙ୍କ ତେରଦିନିଆ ଦଣ୍ଡଯାତ୍ରା ଆଜି ଶେଷ ହୋଇଛି। ଆଜି ଅନୁଷ୍ଠିତ ପ୍ରସିଦ୍ଧ ମାସନ୍ତ ମେରୁଯାତ୍ରାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସକାଳୁ ହିଁ ଗ୍ରାମରେ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ପ୍ରତ୍ୟୁଷରୁ ମା’ ଦଣ୍ଡକାଳୀ ଗ୍ରାମର ଶ୍ରୀ ରାମେଶ୍ବରସ୍ବାମୀଙ୍କ ମନ୍ଦିରଠ‌ାରେ ପହଞ୍ଚିଥିଲେ।  ଢୋଲ, ଘଣ୍ଟ ଓ ହୁଳହୁଳି ଶବ୍ଦ ସହ ‘ଶ୍ରୀ ଶ୍ରୀ କଳାରୁଦ୍ରମଣିକି ଭଜହେ’ ଡାକରେ ଗ୍ରାମ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମର କାଳୀ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ ଓ ଅପରାହ୍‌ଣରେ ଆଡ଼ବନ୍ଧରେ ପାଣିଦଣ୍ଡ ନୀତି ସଂପନ୍ନ ହୋଇଥିଲ। ସନ୍ଧ୍ୟାରେ ମାନସିକଧାରୀମାନେ ଭିଡ଼ ଜମାଇଥିବା ବେଳେ ରାତିରେ ଅଗ୍ନିଦଣ୍ଡ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଓ ଭଞ୍ଜନଗର ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଯାତ୍ରା ପରିଚାଳନାରେ ଗାଲେରୀ ଯାତ୍ରା କମିଟି ସଦସ୍ୟମାନଙ୍କୁ ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ସହର ଉପକଣ୍ଠ ଗାମୁଣ୍ଡି, ଢୁଢ଼ୁଆ, ଜିଲୁଣ୍ଡି ଓ ତନରଡ଼ାରେ ମାସନ୍ତ ମେରୁ ପାଳିତ ହୋଇଯାଇଛି।