ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ତିନିଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ। ଯାହାର ପ୍ରଭାବ ଯୋଗୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା। ଏମିତି ସମୟରେ ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ବିପଦକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ ନଈକୂଳ ସୁରକ୍ଷା ପାଇଁ ମଞ୍ଜୁର ହୋଇଥିବା କୋଟି କୋଟି ଟଙ୍କାର ତଟ ପ୍ରକଳ୍ପ କାମ ଏଯାଏ ଆରମ୍ଭ ହୋଇପାରିନି। ସେହିପରି ୪ ବର୍ଷ ତଳୁ ବନ୍ଦ ହୋଇ ଯାଇଥିବା ବନ୍ୟା ନିୟନ୍ତ୍ରଣ କକ୍ଷ (ଫ୍ଲଡ୍ କଣ୍ଟ୍ରୋଲ୍ ରୁମ୍)କୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ବନ୍ୟାପ୍ରବଣ ଅଞ୍ଚଳର ଗ୍ରାମବାସୀ।
ପ୍ରତିବର୍ଷ ଜୁଲାଇ ମାସରୁ ଅକ୍ଟୋବର ମାସ ମଧ୍ୟରେ ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ନଦୀକୂଳିଆ ଅନେକ ଗାଁ’ରେ ବ୍ୟାପକ କ୍ଷୟକ୍ଷତି ହେଉଛି। ଏହାଛଡ଼ା ଗତ କିଛିବର୍ଷ ହେଲା ନଦୀ ଗତିପଥ ବଦଳିବା ଯୋଗୁଁ ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ତୋଟାପଡ଼ା, କୁଅଁରପୁର, ବେହେରାସାହି, ଗୁରୁଦାସପୁର, ନାରାୟଣପୁର, ବାଲିକବାଡ଼ ସହ ୪୪ଟି ଗାଁ’ ପ୍ରତି ଅଧିକ ବିପଦ ଘନେଇଛି। ପୂର୍ବରୁ ଉକ୍ତ ଗ୍ରାମଗୁଡ଼ିକର ଲୋକମାନେ ତଟ ସୁରକ୍ଷା ପାଇଁ ଦାବି କରିଥିଲେ। ଫଳରେ ସରକାର ୫-ଟି ଅଧୀନରେ ୩ଟି ପ୍ରକଳ୍ପକୁ ୮ ମାସ ତଳେ ଅନୁମୋଦନ ଦେଇଥିଲେ। ତୋଟାପଡ଼ା-କୁଅଁରପୁର ସହ ବେହେରା ସାହି ନିକଟରେ ପଥର ପେକିଂ ଓ ସ୍ପର୍ ନିର୍ମାଣ ପାଇଁ ୯ କୋଟି ୯୬ ଲକ୍ଷ ଟଙ୍କା, ବାଲିକବାଡ଼ ନିକଟରେ ପଥରବନ୍ଧ ପାଇଁ ୯ କୋଟି ୯୧ ଲକ୍ଷ ଓ ଗୁରୁଦାସପୁର, ଶ୍ରୀରାମପୁର ଓ ନାରାୟଣପୁର ନିକଟରେ ପଥର ପେକିଂ ପାଇଁ ୯ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ପରିତାପର ବିଷୟ; ୩ଟି ଯାକ ପ୍ରକଳ୍ପ ଏବେ ଟେଣ୍ଡର ପ୍ରକ୍ରିୟାରେ ଅଟକି ରହିଛି। ଅନ୍ୟପଟେ ଭୋଗରାଇ ବ୍ଲକ୍ରେ ସ୍ଲୁଇସ୍ ଗେଟ୍ ସହ ଓଡ଼ିଶା କୋଷ୍ଟ କେନାଲ୍-୩ର ଓଭର୍ ସପ୍ଲାଏ ଚ୍ୟାନେଲ୍ ଓ ଭୋଗରାଇ ଲକ୍ ଗେଟ୍ର ପୁନରୁଦ୍ଧାର ପାଇଁ ୧୪ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପ କାମକୁ ସରକାର ବର୍ଷକ ତଳେ ମଞ୍ଜୁରି ଦେଇଥିଲେ। ହେଲେ ଏସବୁ କାମ ଲାଗି ଏଯାଏ ଟେଣ୍ଡର ଦିଆଯାଇନାହିଁ। ଏପରି ସମୟରେ ଚଳିତବର୍ଷ ନଦୀରେ ବନ୍ୟା ଆସିଲେ କ’ଣ ହେବ, ସେ କଥା ଲୋକେ ଭାବୁଛନ୍ତି।
୩ ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ
ଟେଣ୍ଡରରେ ଅଟକିଛି ୪୫ କୋଟିର ସୁରକ୍ଷା ପ୍ରକଳ୍ପ
ଜଳେଶ୍ୱର ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଦାବି
ଅନ୍ୟପକ୍ଷରେ ଜଳେଶ୍ୱର ଓ ଭୋଗରାଇ ବ୍ଲକ୍କୁ ନେଇ କାର୍ଯ୍ୟ କରୁଥିବା ଜଳସଂପଦ ବିଭାଗର ଜଳେଶ୍ୱର ଉପଖଣ୍ଡ କାର୍ଯ୍ୟାଳୟରେ ବନ୍ଦ ରହିଥିବା ଫ୍ଲଡ୍ କଣ୍ଟୋଲ୍ ରୁମ୍ ପୁଣି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। କାରଣ କାର୍ଯ୍ୟାଳୟ ଅଧୀନ ଜଳେଶ୍ୱର-୧, ଜଳେଶ୍ୱର-୨, ଭୋଗରାଇ ଓ ରଣକୋଠା ସେକ୍ସନ ଅଧୀନରେ ୧୦୯ କିମିର ନଦୀବନ୍ଧ ଥିବାବେଳେ ଭୋଗରାଇର ଭୂଷଣ୍ଡେଶ୍ବରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ୧୭ କିମିର ସମୁଦ୍ର ବେଳାଭୂମି ରହିଛି। ୮୦ ଦଶକରୁ ଜଳେଶ୍ୱର ଉପଖଣ୍ଡ କାର୍ଯ୍ୟାଳୟରେ ପ୍ରତି ବର୍ଷ ଜୁନ୍ ମାସରୁ ନଭେମ୍ବର ମାସ ଯାଏ ଫ୍ଲଡ୍ କଣ୍ଟ୍ରୋଲ୍ ରୁମ୍ କାମ କରୁଥିଲା। ଫଳରେ, ଲୋକମାନେ ବନ୍ୟା ଓ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ପାଇ ପାରୁଥିଲେ। ହେଲେ, ଗତ ୪ ବର୍ଷ ହେଲା ସରକାର ଫ୍ଲଡ୍ କଣ୍ଟୋଲ୍ ରୁମ୍ ବନ୍ଦ କରି ଦେଇଛନ୍ତି।
ଏ ସଂପର୍କରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂହଙ୍କ କହିବା କଥା ହେଲା, ବନ୍ୟା ନିୟନ୍ତ୍ରଣ ଓ ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି। ଭୋଗରାଇ ଲକ୍, ରଣକୋଠା ସେକ୍ସନ୍ ଅଫିସ୍ ଓ ଜଳେଶ୍ୱର ସବ୍ଡିଭିଜନ୍ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ବାଲି ବସ୍ତା ସହ ବାଉଁଶ ମହଜୁଦ ରଖାଯାଇଛି। ଲୋକମାନେ ବନ୍ୟା ଓ ବାତ୍ୟା ସଂପର୍କରେ କିଛି ସୂଚନା ପାଇବାକୁ ଚାହୁଁଥିଲେ ବାଲେଶ୍ବର ଜଳସମ୍ପଦ କାର୍ଯ୍ୟାଳୟରେ ଗତ ୧ ତାରିଖରୁ ଖୋଲା ଯାଇଥିବା ଫ୍ଲଡ୍ କଣ୍ଟ୍ରୋଲ୍ ରୁମ୍ ୯୧୨୪୫୩୯୨୫୨ ଓ ୯୧୨୪୫୩୯୨୫୩ ନମ୍ବରରେ ଯୋଗାଯୋଗ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjdggjgj.jpg)