ଭୁବନେଶ୍ବର: ପ୍ରତି ଘରେ ପହଞ୍ଚିବ ପାଣିପାଗ ଖବର। ବ୍ଲକ ସ୍ତରରୁ ଦିଆଯିବ ସୂଚନା। କେଉଁଠି ଓ କେତେବେଳେ ବର୍ଷା ହେବ, ବଜ୍ରପାତ, ଝଡ଼, ବାତ୍ୟା, ବନ୍ୟା ସମ୍ପର୍କିତ ଟିକିନିଖି ଖବର ଲୋକେ ‌ଆଗୁଆ ଜାଣିପାରିବେ। ଏଥିପାଇଁ ରାଜ୍ୟରେ ୫୦୦ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହ ୬ ହଜାର ବର୍ଷାଜଳ ମାପିବା ଯନ୍ତ୍ର ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି। ପାଣିପାଗର ସଠିକ୍‌ ଓ ଆଗୁଆ ପୂର୍ବାନୁମାନ କରିବାକୁ ବାଲେଶ୍ୱର ଓ ସମ୍ବଲପୁରରେ ଡପଲାର ରାଡାର ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ସମ୍ବଲପୁରରେ ନିର୍ମାଣ କାମ ସରିଥିଲେ ମଧ୍ୟ ଡିଜାଇନ୍‌ ଚୂଡ଼ାନ୍ତ ହୋଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବାଲେଶ୍ବରରେ କାମ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୬ରୁ ୮ ମାସ ମଧ୍ୟରେ ଦୁଇଟି ଯାକ ରାଡାର କାର୍ଯ୍ୟକ୍ଷମ ହେବା ପରେ ତାହାର ସୁଫଳ ଲୋକଙ୍କୁ ମିଳପାରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Advertisment

ରିଲାଏନ୍ସ ଫାଉଣ୍ଡେସନ ଓ ୟୁନାଇଟେଡ୍‌ ନେସନ୍ସ ଇଣ୍ଡିଆ ପକ୍ଷରୁ ହୋଟେଲ ମେ’ ଫେୟାରରେ ଆୟୋଜିତ ‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ’ ଶୀର୍ଷକ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଭୌଗଳିକ ଦୃଷ୍ଟିକୋଣରୁ ଓଡ଼ିଶା ସବୁବେଳେ ବିପର୍ଯ୍ୟୟ ପ୍ରବଣ ପାଲଟିଛି। ୪୮୦ କିମି ବ୍ୟାପୀ ଉପକୂଳ ଅଞ୍ଚଳ ବିଭିନ୍ନ ସମୟରେ ବାତ୍ୟାର ସମ୍ମୁଖୀନ ହେଉଛି। ବନ୍ୟା, ମରୁଡ଼ି, ବଜ୍ରପାତ ଭଳି ସମସ୍ୟା ଓଡ଼ିଶାର ଅର୍ଥନୀତିକୁ ସବୁବେଳେ ପ୍ରଭାବିତ କରୁଛି। ତେଣୁ ଏ ସମ୍ବନ୍ଧରେ ତୃଣମୂଳସ୍ତରରେ ସତର୍କତା ପହଞ୍ଚାଇବା ସହ ସଠିକ୍ ପୂର୍ବାନୁମାନ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ। ୧୯୯୯ ମହାବାତ୍ୟା ପରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ରୋଲ୍‌ ମଡେଲ ପାଲଟିଛି। ବାତ୍ୟା ‘ଦାନା’କୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରି ଜିରୋ କିଜୁଆଲିଟି କରିପାରିଛନ୍ତି। ୧୨୨ ଉପକୂଳ ଅଞ୍ଚଳରେ ତୁରନ୍ତ ସତର୍କତା ଏବଂ ସୋଲାର ସାଇରାନ ଟାୱାର ଦ୍ୱାରା ଖବର ପହଞ୍ଚାଯାଉଛି। ଏଥିସହ ଜରୁରୀ ପରିଚାଳନା କେନ୍ଦ୍ର, ସଟେଲାଇଟ୍‌ ମୋବାଇଲ ଡାଟା ଭଏସ୍ ଟର୍ମିନାଲ, ଡିଜିଟାଲ ମୋବାଇଲ ରେଡ଼ିଓ, ଗ୍ରୁପ ମେସେଜ ମାଧ୍ୟମରେ ଆଗୁଆ ସୂଚନା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଭାରତ ପାଇଁ ଥିବା ଜାତିସଂଘ ଆବାସିକ ସଂଯୋଜକ ସୋମ୍ବି ଶାର୍ପ କହିଲେ ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ସୂଚନା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନେତୃତ୍ବକୁ ପ୍ରଶଂସନୀୟ। ଅନ୍ୟ ରାଜ୍ୟ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଉଦାହରଣ। ଆଗୁଆ ସୂଚନା ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଗୋଷ୍ଠୀଗୁଡ଼ିକର ମଜଭୂତପଣ ନିର୍ମାଣ କରିବାକୁ ରାଜ୍ୟ ସରକାର, ନାଗରିକ ସମାଜ ଓ ରିଲାଏନ୍ସ ଫାଉଣ୍ଡେସନ ପରି ସଂସ୍ଥା ସହ ମିଶି କାର୍ଯ୍ୟ କରିବାକୁ ଜାତିସଂଘ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ସାମାଜିକ ଅନୁଷ୍ଠାନ ‘ଆଇନା’ର ସମ୍ପାଦକ ସ୍ନେହା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟ ମୁକାବିଲାରେ ଆଗୁଆ ପୂର୍ବାନୁମାନ ସମ୍ପର୍କରେ ଆଲୋକପାତ କରିଥିଲେ। 

ରିଲାଏନ୍ସ ଫାଉଣ୍ଡେସନ ସିଇଓ ଜଗନ୍ନାଥ କୁମାର କହିଲେ ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ତେଣୁ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଅଧିକ ଫଳପ୍ରଦ ଭାବେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ବୟନ ସୁନିଶ୍ଚିକ କରାଯାଇପାରିବ। ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ପରିସ୍ଥିତିରେ ଲୋକଙ୍କ ସେବା କରିବା ସମୟରେ ପ୍ରାକ୍‌ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି ବୋଲି ସେ କହିଥିଲେ। ଏହାପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ବିଶେଷଜ୍ଞମାନେ ଯୋଗଦେଇ ବହୁବିଧ-ବିପଦ ଆଭିମୁଖ୍ୟ ଓ ଲକ୍ଷ୍ୟଭିତ୍ତିକ ଆଗୁଆ ପଦକ୍ଷେପ ସମ୍ପର୍କିତ ବାର୍ତ୍ତା ପ୍ରଦାନ ଉପରେ ମତ ରଖିଥିଲେ।