ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆବାସ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ପ୍ରକାଶ କରା ଯାଇଥିବା ହିତାଧିକାରୀ ତାଲିକାରେ ତ୍ରୁଟି ରହିଥିବା ବିଭିନ୍ନ ମହଲରେ ଅଭିଯୋଗ ଉଠିଥିଲା। ଏଣୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ବିଭିନ୍ନ ମାଧ୍ୟମରେ ଆସିଥିବା ଅଭିଯୋଗର ଯାଞ୍ଚ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସାରିଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ରୁ ପ୍ରାୟ ୨୯ଶହ ଅଭିଯୋଗ ଆସିଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରାୟ ୭୦/୮୦ ପ୍ରତିଶତ ଅଭିଯୋଗର ଯାଞ୍ଚ ସରିଛି। ତନ୍ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୫ଶହ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇ ସାରିଥିବା ସେ କହିଛନ୍ତି।
ଗଞ୍ଜାମ ଜିଲ୍ଲାରେ ଆବାସ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ଲୋକଙ୍କୁ ଘର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆବାସ ଯୋଜନା(ସାଧାରଣ)ରେ ୨୬ହଜାର ୩୮୨ଜଣ ହିତାଧିକାରୀଙ୍କ ନାମ ପ୍ରକାଶ କରାଯାଇଛି। ସେହିପରି ସ୍ବତନ୍ତ୍ର ଭାବେ ‘ଫନି’ ବାତ୍ୟା ପ୍ରଭାବିତଙ୍କ ପାଇଁ ଆବାସ ଯୋଜନାରେ ମଧ୍ୟ ୧୦ହଜାର ୧୭୪ଜଣ ହିତାଧିକାରୀ ଘର ପାଇବେ। ମୋଟ ୩୬ହଜାର ୫୫୬ଜଣ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଇଛି। କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁ ନଥିବା କିଛି ଲୋକଙ୍କୁ ଆବାସ ଯୋଜନା ତାଲିକାରେ ସାମିଲ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ସେ ନେଇ ସରକାରଙ୍କ ତରଫରୁ ଅଭିଯୋଗ ଦାଖଲ ପାଇଁ ସମୟ ଦିଆଯାଇଥିଲା। ଗତକାଲି ସଂଧ୍ୟା ସୁଦ୍ଧା କଲ୍ସେଣ୍ଟର୍, ପଞ୍ଚାୟତ ଓ ବ୍ଲକ୍ସ୍ତରରେ ରଖାଯାଇଥିବା ବକ୍ସ ଏବଂ ଅନ୍ଲାଇନ୍ରେ ଏହି ଅଭିଯୋଗ ଆସିଛି। ପ୍ରଶାସନ ତରଫରୁ ଅଭିଯୋଗଗୁଡ଼ିକ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ଶହ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ ଭାସନ୍ ସୂଚନା ଦେଇଛନ୍ତି। ଏଥିପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ୫୦୩ ପଞ୍ଚାୟତରେ ସ୍ବତନ୍ତ୍ର ଭାବେ ପ୍ରଶାସନ ତରଫରୁ ଗ୍ରାମସଭା ଆୟୋଜନ କରାଯିବ। ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ତାଲିକା ଚୂଡ଼ାନ୍ତ କରାଯିବ ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ରୁ ସର୍ବାଧିକ ଅଭିଯୋଗ ଆସିଥିବା ଜଣାପଡ଼ିଛି। ସେପଟେ ବେଗୁନିଆପଡ଼ା ବ୍ଲକ୍ରେ ୨୭ଟି ଅଭିଯୋଗ ଦାଖଲ ହୋଇଥିଲା। ଯାଞ୍ଚ ପରେ ୧୧ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ଭଞ୍ଜନଗର ବ୍ଳକ୍ରେ ୯୭୯ ଜଣ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆବାସ ଯୋଜନାରେ ୭୪୫ ଏବଂ ୨୩୪ ଜଣ ଫନି ସହାୟତାରେ ଆବାସ ଯୋଜନା ଘର ପାଇବା ପାଇଁ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ୧୦୭ଟି ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ଯାଞ୍ଚ ପରେ ଆସନ୍ତାକାଲି ଯୋଗ୍ୟ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।