ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିବନାରାୟଣପୁରଗୋଡ଼ା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ୫ଶହ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଛି। ୫ ଶହ ଟଙ୍କା ନ ଦେଲେ ସାର୍ଟିଫିକେଟ୍‌ ଦିଆଯାଉ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି।

Advertisment

ଚଳିତବର୍ଷ ଏହି ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଉଚ୍ଚଶିକ୍ଷା ପାଇଁ ସାର୍ଟିଫିକେଟ୍‌ ଆଣିବାକୁ ସ୍କୁଲ୍‌କୁ ଗଲେ ପ୍ରଧାନଶିକ୍ଷକ ବିନା ରସିଦରେ ଛାତ୍ରଛାତ୍ରୀଙ୍କ ଠାରୁ ୫ଶହ ଟଙ୍କା ଲେଖ‌ାଏଁ ଆଦାୟ କରୁଛନ୍ତି। ଉପାନ୍ତ ଅଞ୍ଚଳର ଗରିବ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ଧାରକରଜ କରି ସାର୍ଟିଫିକେଟ ପାଇଁ ଟଙ୍କା ଦେଉଛନ୍ତି। ଏନେଇ ସମିତିସଭ୍ୟା ମୀନା ମହାନ୍ତ, ବିଜୁଳି ସନଙ୍ଗୀ, ସୁମିତ୍ରା ସନଙ୍ଗୀ, ରଞ୍ଜନ ଦେହୁରୀ, ବାସନ୍ତି ପରିଡ଼ା, ପଦ୍ମିନୀ ପରିଡ଼ା, ବୀର ପରିଡ଼ା, ଅକ୍ଷୟ ଦେହୁରୀ, ଜେନାମଣି ବେହେରା ଓ ବିବେକାନନ୍ଦ ମହାନ୍ତ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ପୃକ୍ତ ପ୍ରଧାନଶିକ୍ଷକ ଦାୟିତ୍ଵ ‌ନେବାଦିନଠାରୁ ବିଦ୍ୟାଳୟରେ ବିଶୃଙ୍ଖଳା, କର୍ମଚାରୀଙ୍କ ମଧ୍ୟରେ ବିବାଦ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ବୃଦ୍ଧି ପାଉଛି। ତୁରନ୍ତ ଗରିବ ଛାତ୍ରଛାତ୍ରୀଙ୍କ ଆଦାୟ କରାଯାଇଥିବା ଅର୍ଥ ଫେରସ୍ତ ସହିତ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନ ରାଉତଙ୍କୁ ପଚାରିବାରୁ, ସାର୍ଟିଫିକେଟ୍‌ ନୂଆ କରି ଅର୍ଥ ଆଦାୟ କରାଯାଉ ନାହିଁ। ପୂର୍ବରୁ ମଧ୍ୟ ଏହି ଅର୍ଥ ଆଦାୟ କରି ହଡ଼ପ କରାଯାଇଛି। ଚଳିତବର୍ଷ ଆଦାୟ ଅର୍ଥକୁ ମୋ ସ୍କୁଲ୍‌ ଅଭିମାନ ପାଣ୍ଠିରେ ରଖିବାକୁ ଚେଷ୍ଟା କରାଯିବାରୁ କେତେକ କର୍ମଚାରୀ ତା‌ଙ୍କ ବିରୋଧରେ ଲୋକଙ୍କୁ ମତାଇ ଏଭଳି ହୀନ ଉଦ୍ୟମ କରିଥିବା ସେ କହିଛନ୍ତି। ଅନେକ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଟଙ୍କା ନ ଦେଇ ମଧ୍ୟ ସାର୍ଟିଫିକେଟ୍‌ ନେଇଥିବା ସେ କହିଛନ୍ତି।