ପୁରୀ: କଥା ଦେଇ କଥା ରଖିଛନ୍ତି ବିଜେପି ସରକାର। ଗତବର୍ଷ ନୂଆ ସରକାର ଦାୟିତ୍ବ ଗ୍ରହଣ ବେଳେ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଘୋଷଣା କରିଥିଲେ, ତାହା ଅନୁପାଳନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଏହି ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି ୫୦୦ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଥିରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ସହ ଅନ୍ୟାନ୍ୟ ବ୍ୟବସ୍ଥା ହୋଇପାରିବ ବୋଲି ଭକ୍ତମହଲ ଆଶାପୋଷଣ କରିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପଗୁଡ଼ିକର ପରିଚାଳନା ସହ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ସୁବିଧାସୁଯୋଗ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି କର୍ପସ୍ ପାଣ୍ଠି ପ୍ରଦାନ କରିଛନ୍ତି। ବଜେଟ୍ର ବ୍ୟବସ୍ଥା ହେବା ପରେ ଏବେ ବିଧିବଦ୍ଧ ଭାବେ ଏହି ପାଣ୍ଠି ଶ୍ରୀମନ୍ଦିର ପିଏଲ୍ ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ଏହି ପାଣ୍ଠି ପାଇଁ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଶ୍ରୀମନ୍ଦିର ପାଇଁ ଅନେକ ପ୍ରତିଶ୍ରୁତି ରଖିଥିଲେ। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରଥମ ପ୍ରତିଶ୍ରୁତି ଥିଲା। ନିର୍ବାଚନ ଜିତିବା ପରେ ଓ ସରକାରକୁ ବିଜେପି ଆସିବା ପରେ ପ୍ରଥମ ପ୍ରତିଶ୍ରୁତି ସ୍ବରୂପ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା। ରାଜ୍ୟ ସରକାର ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣତି ଓ ମଣତିର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପାଳନ ପୂର୍ବକ ରତ୍ନଭଣ୍ଡାର ଯାଞ୍ଚ ପରେ ଆବଶ୍ୟକ ମରାମତି ପ୍ରକ୍ରିୟା ଚାଲିଛି। ମରାମତି ଶେଷ ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)