ଯାଜପୁରକୁ ୫୦୦ କୋଟିର ଅନୁଦାନ

ବନ୍ୟା ନିୟନ୍ତ୍ରଣ ଓ ଚାଷ ପାଇଁ ଉପଯୋଗୀ ହେବ: ପ୍ରମିଳା

ଯାଜପୁରସଦର : ଯାଜପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଦୁଇଟି ବୃହତ୍‌ ପ୍ରକଳ୍ପ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ଅନୁଦାନ ଦେଇଛନ୍ତି। ଚାଷୀ, ଚାଷ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଆଜି ଜିଲ୍ଲା ସଦରମହକୁମାଠାରେ ସର୍କିଟ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ସହ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ କେନାଲ ଜରିଆରେ ଜଳସେଚନ କରିବା ପାଇଁ ୨୦୦ କୋଟିର ଆନିକଟ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଦଶରଥପୁର ବ୍ଲକରେ ବୈତରଣୀ ନଦୀର ଡୋବାବିଲ ଗ୍ରାମରେ ଏହି ଆନିକଟ ନିର୍ମାଣ କରାଯିବ। ୩୦ ମାସରେ କାର୍ଯ୍ୟ ସାରିବାକୁ କୁହାଯାଇଛି। ଉପକୃତ ହେବାକୁ ଥିବା ଦଶରଥପୁର ଓ ଧାମନଗର ବ୍ଲକରେ କେନାଲ ଖୋଳା ପାଇଁ ସ‌‌ର୍ଭେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି  ଯାଜପୁର ଜିଲ୍ଲାରେ ଖରସ୍ରୋତା ନଦୀଜଳକୁ ବ୍ୟବହାର କରି ଚାଷୀଙ୍କ କାମରେ ଲଗାଇବା ପାଇଁ ୯ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୯୬ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୯ଟିରୁ ୭ଟି ପ୍ରକଳ୍ପ ଯାଜପୁରର ବିଂଝାରପୁର ଓ ବରୀ ବ୍ଲକରେ ଏବଂ ୨ଟି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକରେ ନିର୍ମାଣ କରାଯିବ।

ଖରସୁଆ ନଦୀରେ ବିଂଝାରପୁର ବ୍ଲକର ବୋଦୁଅରେ ୩୬.୮୭ କୋଟି, ମଲ୍ଲିପୁରରେ ୬୦.୮୨ କୋଟି, ଧରମପୁରରେ ୫୪.୦୮ କୋଟି, କଣ୍ଟିପୁରରେ ୫୨.୩୨ କୋଟି, ବାଙ୍ଗରାରେ ୩୫.୯୫ କୋଟି, ସୟଦପୁରରେ ୪୭.୮୬ କୋଟି ଓ ଯାଜପୁର ବ୍ଲକର ପଣସାରେ ବୈତରଣୀ ନଦୀରେ  ୨୧.୬୭ କୋଟି ଟଙ୍କା ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଜିଲ୍ଲାବାସୀଙ୍କୁ ଅବଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବୈଠକରେ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଜିଲ୍ଲାପରିଷଦ ଉପସଭାପତି ଗଣେଶ୍ବର ବରାଳ, ଯାଜପୁର ବିଧାୟକ ପ୍ରତିନିଧି ଭବ ପ୍ରସାଦ ଦାସ, ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ବର୍ଣ୍ଣଲତା ପରିଡ଼ା, ବିଂଝାରପୁର ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ ଓ ଅନ୍ୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର