ପୁରୀ : ଆଜି ପୁରୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୫ଶହ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିବା ସହିତ ୯ ଜଣଙ୍କୁ ଗିରଫ କରିଛି। ବ୍ରାଉନ୍ସୁଗାର କାରବାର ସହିତ ସମ୍ପୃକ୍ତ ୨ଟି କାର ଓ ଗୋଟିଏ ମୋଟରସାଇକେଲ୍କୁ ପୁଲିସ ଜବତ କରିଛି।
ବ୍ରାଉନସୁଗାର ଚୋରାଚାଲାଣ ବେଳେ ଆଜି ଚନ୍ଦନପୁର ପୁଲିସ ପୁରୀ ଭୁବନେଶ୍ବର ରାସ୍ତାରୁ ୨୩୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ୪ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନେ ବ୍ୟବହାର କରୁଥିବା ଏକ କାର ଓ ମୋବାଇଲ ଫୋନ ଜବତ କରିଛି। ଚନ୍ଦନପୁର ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ପୁରୀରୁ ଭୁବନେଶ୍ବର ରାଜପଥରେ ବ୍ରାଉନସୁଗାର ଚୋରାଚାଲାଣ ହେଉଥିବାର ଖବର ପାଇ ଚନ୍ଦନପୁର ଥାନାର ଏସଆଇ ଜି ପ୍ରଧାନ ଓ ତାଙ୍କ ସହିତ ଅନ୍ୟ କର୍ମଚାରୀମାନେ କାରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାର୍ରୁ ୨୩୭ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିଥିଲେ। ଏହି ଘଟଣାରେ ପୁଲିସ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶେଖରବାଦ ଅଞ୍ଚଳର ସେକ୍ ସାଜନ(୨୫) , ତାଙ୍କ ବାପା ସେକ ସମ୍ମତୁଲା(୫୦) , ମା’ ଅପସାନା ବିବି(୪୫) , ପୁରୀ ନରେନ୍ଦ୍ରକୋଣ ମଙ୍ଗଳା ସାହିର ପ୍ରକାଶ ବେହେରା(୨୯)ଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଜଳେଶ୍ବରରୁ ବ୍ରାଉନ୍ସୁଗାର ବେପାର କରିବା ଉଦ୍ଦେଶ୍ୟରେ ପୁରୀ ଆଣୁଥିଲେ। ତେବେ ସେମାନେ କାହାକୁ ହସ୍ତାନ୍ତର କରିଥାନ୍ତେ ତାହା ଜଣାପଡ଼ି ନାହିଁ। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେହିପରି କୁମାର ପଡ଼ା ଥାନା ୨୫୭ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିଛି। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଅଲ୍ଟୋ କାର ଓ ଗୋଟିଏ ଆପାଚୀ ମୋଟର ସାଇକେଲ ଜବତ କରିଛି।
ଆଜି ସକାଳେ କୁମ୍ଭାରପଡ଼ା ଥାନା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଯେ ବ୍ରହ୍ମପୁରରୁ ୨ ଜଣ ବେପାରୀ ପୁରୀର ବେପାରୀଙ୍କୁ ବ୍ରାଉନ୍ସୁଗାର ଦେବା ପାଇଁ ଏକ ଅଲଟୋ କାର୍ରେ ଆସୁଛନ୍ତି। ଏହି ସୂଚନା ଆଧାରରେ ପୁଲିସ ଦେବୀଘାଟ ଅଞ୍ଚଳରେ ଜଗି ରହିଥିଲା। ବ୍ରହ୍ମପୁରର ସଂଗ୍ରାମ କେଶରୀ ପଟ୍ଟନାୟକ, ସଦାନନ୍ଦ ନାମକ ୨ ଜଣ ଯୁବକ ଅଲ୍ଟୋ କାର୍ରେ ଆସି ରବି ମହାନ୍ତି(୬୫) ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେଇ, ରାମିଣୀ ମଲ୍ଲିକ(୫୨)ଙ୍କୁ ବ୍ରାଉନ୍ ସୁଗାର ଦେଉଥିବାବେଳେ ପୁଲିସ ଚଢ଼ଉ କରି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)