ବାତ୍ୟା ଅମ୍ଫାନକୁ ନେଇ ସମୁଦ୍ରକୂଳିଆ ଲୋକେ ଆତଙ୍କିତ, ରାଜନଗରରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର

ରାଜନଗର : ବାତ୍ୟା ଅମ୍ଫାନକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ରାଜନଗର ବାତ୍ୟା ପ୍ରବଣ ଅଂଚଳ ଓ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକେ ଅଧିକ ଭୟଭୀତ ହୋଇପଡିଛନ୍ତି। ବାତ୍ୟା ରାଜନଗର ଅଂଚଳ ଦେଇ ଦିଘା ଯିବାବେଳେ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ରାତିରେ ସମୁଦ୍ର କୂଳରେ ଥିବା ଗାଁ ଗୁଡିକରେ ଓ କଚ୍ଚା ଓ ଆଜବେଷ୍ଟ ଘରେ ଥିବା ପ୍ରାୟ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପେଣ୍ଠ, ତାଳଚୁଆ, ମଂଜୁଳାପଲ୍ଲୀ, ସାତଭାୟା ଓ ମଗରକନ୍ଦାରୁ ଏହି ବିପନ୍ନଙ୍କୁ ୬ଟି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ବିଡିଓ ମନ୍ଦରଧର ମହାଳିକଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ମଧ୍ୟାହ୍ନ ୧୧ଟା ସୁଦ୍ଧା ସମସ୍ତ ବିପନ୍ନଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଏଠାରେ ପହଞ୍ଚିଛନ୍ତି। ରାଜନଗରରେ ଥିବା ୪୨ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ବିଭିନ୍ନ ସ୍କୁଲ ଘର ଓ କୋଠାଘରଗୁଡିକୁ ପ୍ରସ୍ତୁତ ରଖାଯାଇଛି। ସୂଚନା ଥାଉ କି, ୬ଟି ବାତ୍ୟା ଆଶ୍ରୟସ୍ଥଳରେ ୧୭୧ଜଣ ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ସେମାନଙ୍କ ସ୍ବାବ୍‌ ଯୁଦ୍ଧକାଳୀନ ଭିତ୍ତିରେ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ଓ ୧୪ଦିନ ଶେଷ ହୋଇଥିବାରୁ ସେମାନଙ୍କୁ ଛାଡି ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯିବା ସହ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ବିଡିଓ ଶ୍ରୀ ମହାଳିକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ରାଜନଗର ବିଧାୟକ ଧ୍ରୁବ ସାହୁ ଗତକାଲି ଓ ଆଜି ଦୁଇଦିନ ଧରି ପେଣ୍ଠ, ପ୍ରସନ୍ନପୁର, ଈଶ୍ବରପୁର, ଘଡିଆମାଳ, ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, ପଟ୍ଟାପାରିଆ, ମଂଜୁଳାପଲ୍ଲୀ, ବଗପାଟିଆ, ଗୁପ୍ତିରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥାନୀୟ ସରପଂଚ ଓ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ବିପନ୍ନଙ୍କ ପାଇଁ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାଜନଗର ବିଡିଓ ମନ୍ଦରଧର ମହାଳିକଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର