ଗଞ୍ଜାମ: ଗଞ୍ଜାମ ସହର ନିକଟ ଋଷିକୁଲ୍ୟା ପୁରୁଣା ସେତୁ ପାର୍ଶ୍ବରୁ ୫୦୦ରୁ ଅଧିକ ଟିପର୍ ବାଲି ଗଞ୍ଜାମର ବିଭିନ୍ନ ସ୍ଥାନ ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଇଛି। ଚାଲାଣ ବାଲିର ପରିମାଣ ୨ରୁ ଅଢ଼େଇକୋଟି ହେବ ବୋଲି କୁହାଯାଉଛି। ଲଘୁ ଖଣିଜ ଦ୍ରବ୍ୟକୁ ଲୁଟ୍ କରିବା ପାଇଁ ମାଫିଆମାନେ କିଭଳି ସକ୍ରିୟ, ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ।
ଜିଲ୍ଲା ପ୍ରଶାସନର ଘନଘନ ଚଢ଼ଉ ଓ ରାଜସ୍ବ ଧରପଗଡ଼ ପରେ ଚାରିମାସ ଏଠାରେ ବାଲି ଚୋରା ଚାଲାଣ ବନ୍ଦ ରହିଥିଲା। ଏହାସହ କଲେଜ ରୋଡ଼୍ ନିକଟରେ ଋଷିକୁଲ୍ୟା ପୁରୁଣାସେତୁ ବାଲିଘାଟ ଲିଜ୍କୁ ହାଇକୋର୍ଟ ବନ୍ଦ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ସେଠାରୁ ୫୦୦ରୁ ଅଧିକ ଟିପର୍ ଯୋଗେ ବାଲି ଉଠାଇ ଆନ୍ଧ୍ରପ୍ରଦେଶ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଗଞ୍ଜାମ ତହସିଲ୍ ଅଫିସ୍ଠୁ ମାତ୍ର ୨୦୦ରୁ ୩୦୦ ମିଟର ଦୂରରେ ଋଷିକୁଲ୍ୟା ଘାଟରୁ ଏତେ ପରିମାଣର ବାଲି ଚୋରି ବିଭାଗୀୟ ପଦାଧିକାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଏଥିକି ନୁହେଁ, ଘାଟରୁ ପାଞ୍ଚପୁଟ ଗଭୀର ଓ ୧୦୦ରୁ ଅଧିକ ଦୈର୍ଘ୍ୟ ବାଲି ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ତହସିଲ୍ ଏହାକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇଥିଲେ ବି ଚର୍ଚ୍ଚା ହେଉଛି।