ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାରେ ୫ହଜାର ଏକର ଜମି ଚିହ୍ନଟ

ଭୁବନେଶ୍ବର: ପୁଞ୍ଜିନିବେଶମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଭିତ୍ତିଭୂମି ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମି ଅଧିଗ୍ରହଣ ନିମନ୍ତେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି।

ଶିଳ୍ପ ବିଭାଗ, ଇଡ୍‌କୋ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରି ଏ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ। ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ୫ହଜାର ଏକର ଜମି ଚିହ୍ନଟ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷେତ୍ର ଅଧିକାରୀମାନଙ୍କର ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ। ଏସବୁ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ଅଂଶୀଦାରମାନଙ୍କ ସହଯୋଗରେ ପ୍ରତି ୧୫ଦିନରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର