ପାଟପୁର: ଚାଷଜମିର କିସମ ପରିବର୍ତ୍ତନ କରି ଘରବାରି ପଟ୍ଟା ପ୍ରଦାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆର୍‌ଆଇ, ଏଆର୍‌ଆଇ ଓ ଜଣେ ବ୍ୟକ୍ତିଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ସେମାନେ ହେ‌ଲେ ଗଞ୍ଜାମ ଜିଲ୍ଲା ସାନ‌ଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ଆର୍‌ଆଇ ଆଦିତ୍ୟ ପ୍ରସାଦ ସେନାପତି, ଏଆର୍‌ଆଇ ଟିଟୁ ସେଠୀ ଓ ସହଯୋଗୀ (ବେସରକାରୀ ବ୍ୟକ୍ତି) ମନୋରଂଜନ ସାହୁ। 

Advertisment

ଭିଜିଲାନ୍‌ସ ଟିମ୍‌ ଏମାନଙ୍କ ନିକଟରୁ ଲାଞ୍ଚ ବାବଦ ୫ହଜାର ଟଙ୍କା ଜବତ କରିଛି। ବ୍ରହ୍ମପୁର ଭିଜିଲାନ୍‌ସ ବିଭାଗ କେସ୍ ନମ୍ବର ୧୬/୨୪ରେ ମାମଲା ରୁଜୁ କରି ଆର୍‌ଆଇଙ୍କ ଦିଗପହଣ୍ଡିସ୍ଥିତ ଘର ଓ ଏଆର୍‌ଆଇଙ୍କ ଖଜୁରିଆପଲ୍ଲୀସ୍ଥିତ ଘରେ ଚଢ଼ଉ ଜାରି ରଖିଛି। ସୂଚନା ଅନୁସାରେ ଜଣେ ବ୍ୟକ୍ତି ତାଙ୍କର ଚାଷଜମିର କିସମ ପରିବର୍ତ୍ତନ କରିବା ପାଇଁ ପୋଡ଼ାମାରି ଆର୍‌ଆଇ ଅଫିସ୍‌ରେ ଆବେଦନ କରିଥିଲେ। ଏଥିପାଇଁ ଆର୍‌ଆଇ ଓ ଏଆର୍‌ଆଇ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଆବେଦନକାରୀ ଭିଜିଲାନ୍‌ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଆର୍‌ଆଇ ଅଫିସ୍‌ ନିକଟରେ ଉଭୟ ଆର୍‌ଆଇ ଓ ଏଆର୍‌ଆଇ ମନୋରଞ୍ଜନଙ୍କ ଜରିଆରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।