ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ‘ବିକଶିତ ଗାଁ, ବିକଶିତ ଓଡିଶା’। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଗାଁର ଉନ୍ନତି ନ ହେଲେ ଓଡ଼ିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ। ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାହାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ। ଓଡ଼ିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ। ଗାଁ ଗୁଡ଼ିକୁ ବିକାଶର ‘ଗ୍ରୋଥ୍ ଇଂଜିନ୍’ କରିବ। ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ର ଶ୍ରେଷ୍ଠ ନିଦର୍ଶନ।
‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଗାଁଗୁଡ଼ିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଆବଶ୍ୟକ ହେଲେ ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ। ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, କମ୍ୟୁନିଟି ଆସେଟ୍, ପୂଜାପାଠ ସ୍ଥାନ, କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ। ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର୍ ବ୍ଲକ୍ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ। ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ। ଏହା ସହିତ ସର୍ବସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୋଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଠ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ। ସେହିପରି, ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇପାରିବ। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଏଥିରେ ଯୋଜନା ରଖାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ ୩ ଲକ୍ଷ ଟଙ୍କା ରହିବ। କାରଣ ଏହା ଦ୍ୱାରା ଅତି ଛୋଟ ପ୍ରକଳ୍ପଟିର ମଧ୍ୟ ଗୁଣାତ୍ମକ ମାନ ବଜାୟ ରଖାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’
‘ଆମ ଓଡ଼ିଶା-ନବୀନ ଓଡ଼ିଶା’ର ଫାଇଲ୍ ମିଳୁନି
ଏହି ଅବସରରେ ଶ୍ରୀ ମାଝୀ ପୂର୍ବ ବିଜେଡି ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ବିକାଶକୁ ନେଇ ଆମେ ରାଜନୀତି କରିବାକୁ ଚାହୁନାହୁଁ। ବିକାଶ ଓ ରାଜନୀତି ବାଟ ଭିନ୍ନ। ରାଜନୀତି କଲେ ବିକାଶ ହେବ ନାହିଁ। କିନ୍ତୁ ପୂର୍ବ ସରକାର ବିକାଶକୁ ନେଇ ରାଜନୀତି ଜୋର୍ ଚଳାଇଥିଲେ। ଠିକ୍ ନିର୍ବାଚନ ବେଳ ଆସିଲେ, ଯୋଜନା ବର୍ଷା ହେଉଥିଲା। ପରେ ଯୋଜନା ଉଭେଇ ଯାଉଥିଲା। ଯେମିତି ୨୦୧୯ ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ଆସିଲା, ପରେ କୁଆଡ଼େ ଉଭାନ୍ ହେଲା। ୨୦୨୪ ନିର୍ବାଚନ ପୂର୍ବରୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଆରମ୍ଭ କଲେ। କିନ୍ତୁ ଏହି ଯୋଜନା ପାଇଁ ଟଙ୍କା କେଉଁଠୁ ଟଙ୍କା ଆସୁଥିଲା, ପଞ୍ଚାୟତିରାଜ ବିଭାଗରେ ତା’ର ଫାଇଲ୍ପତ୍ର ନାହିଁ। ଆଜି ବି ଗାଁ ଗଣ୍ଡାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ପ୍ରକଳ୍ପ ସବୁ ଅଧପନ୍ତରିଆ ହୋଇ ପଡ଼ିଛି। ଆଜିର ଲୋକାର୍ପିତ ଯୋଜନାରେ ଏହି ସବୁ ଅଧା ଖଣ୍ଡିଆ ପ୍ରକଳ୍ପ ସବୁକୁ ବି ଆଗେଇ ନିଆଯିବ। ଏହି ଅଧାଖଣ୍ଡିଆ ପ୍ରକଳ୍ପରେ ଅନ୍ୟୂନ ୨୦% ଅର୍ଥ ବ୍ୟୟ ହୋଇଥିଲେ, ସେଥିରେ ଆଉ ଅର୍ଥ ଯୋଡ଼ି ଗାଁର ବିକାଶକୁ ପ୍ରାଥମିକତା ଦିଆଯିବ, ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯିବ। ଆମ ପାଇଁ ବିକାଶ ରାଜନୀତିରୁ ଊର୍ଦ୍ଧ୍ୱରେ।
ଏହି ଯୋଜନାରେ ପ୍ରକଳ୍ପ ପାଣ୍ଠି ଜିଲ୍ଲା ପରିଷଦକୁ ପ୍ରଦାନ କରାଯିବ ଏବଂ ଜିଲ୍ଲା ପରିଷଦ ମାଧ୍ୟମରେ ଏହା ବ୍ଲକ୍ ଓ ଗ୍ରାମ ପଞ୍ଚାୟତକୁ ଜନସଂଖ୍ୟା ଆଧାରରେ ଆବଣ୍ଟନ କରାଯିବ। ଆମର ଏହି ଯୋଜନାରେ ଆଦିବାସୀ ଉନ୍ନୟନ ଉପରେ ଫୋକସ୍ ରଖାଯାଇଛି। ମଞ୍ଜୁର ହେଉଥିବା ଅର୍ଥ ରାଶିର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ବ୍ଲକ୍ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ଏହି ଯୋଜନା ଆମ ଗାଁରେ ରହୁଥିବା ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେମାନଙ୍କ ଦୈନନ୍ଦିନ ଜୀବନରେ ଆହୁରି ସୁବିଧା ଆସିବ, ସେମାନଙ୍କ ‘ଇଜ୍ ଅଫ୍ ଲିଭିଙ୍ଗ’ରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଗ୍ରାମୀଣ ଓଡ଼ିଶାର ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଶାସନ ସଚିବ ଗିରୀଶ ଏସ୍.ଏନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍ ରାଣା ଧନ୍ୟବାଦ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ରୁ ଆଭାସୀ ଜରିଆରେ ବିଧାୟକ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।