୩ ବର୍ଷରେ ୫୦୦୦ ବିଦ୍ୟାଳୟ ରୂପାନ୍ତରୀକରଣ ହେବ: ଗଣଶିକ୍ଷା ମନ୍ତ୍ରୀ

ଛତ୍ରପୁର: ୩ ବର୍ଷ ଭିତରେ ରାଜ୍ୟର ୫୦୦୦ ବିଦ୍ୟାଳୟକୁ ରୂପାନ୍ତରୀକରଣ ତଥା ସ୍ମାର୍ଟସ୍କୁଲ୍‌ କରାଯାଇ ଉଦ୍‌ଘାଟନ କରାଯିବ। ଶେରଗଡ଼ ଓ ହିଞ୍ଜିଳିକାଟୁରେ ଆଜି ତୃତୀୟ ପର୍ଯ୍ୟାୟରେ ସ୍ମାର୍ଟସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ମର୍ମରେ ସୂଚନା‌ ଦେଇଛନ୍ତି। ତାମ୍ପରା ଠାରେ ଗଣମାଧ୍ୟମ ସହ ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଶ୍ରୀ ଦାସ କହିଛନ୍ତି, ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତରୀକରଣ ସହ ଆକର୍ଷିତ କରାଯାଇଛି।

ଚଳିତ ବର୍ଷ ୧୦୦୦ ବିଦ୍ୟାଳୟକୁ ୫-ଟି ମାଧ୍ୟମରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍‌ରୁ ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ବେଳକୁ ଆଉ କିଛି ବିଦ୍ୟାଳୟ ଉଦ୍‌ଘାଟନ ହେବ। ଆଉ ଆସନ୍ତା ୩ ବର୍ଷ ଭିତରେ ୫୦୦୦ ବିଦ୍ୟାଳୟକୁ ରୂପାନ୍ତରୀକରଣ କରିବା ଯୋଜନା ରାଜ୍ୟ ସରକାର ରଖିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

ସ୍ମାର୍ଟସ୍କୁଲ ପରିକଳ୍ପନା ଏକ ଯୁଗୋପଯୋଗୀ ପଦକ୍ଷେପ। ଡିଜିଟାଲ୍‌ ଯୁଗ ସହ ପିଲାମାନେ ତାଳ ଦେଇ ନିଜର ଭବିଷ୍ୟତ ଗଢ଼ିବେ। ସ୍ମାର୍ଟସ୍କୁଲରେ ପାଠ ପଢ଼ି ଛାତ୍ରଛାତ୍ରୀ ନିଜକୁ ସ୍ମାର୍ଟ ଅନୁଭବ କରିବା ସହ ସେମାନଙ୍କ ଦକ୍ଷତାର ବିକାଶ ହେବ। ସେହିପରି ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍‌ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏକ ଯୁଗାନ୍ତକାରୀ ପଦକ୍ଷେପ। ଫଳରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ଆଡ଼କୁ ମୁହାଁଇଛନ୍ତି। ସେହିପରି କରୋନା ମହାମାରୀ ତୃତୀୟ ଲହର୍‌ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର