ପୁରୀ : ଗତକାଲି ରବିବାରରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଏଥିପାଇଁ ରବିବାର ଦିନ ବଡ଼ଦାଣ୍ଡରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଛି। ଏକାଧିକ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ନେଇ ଫେରିଛନ୍ତି। ଶନିବାର ଦିନ ମହାସ୍ନାନ ପାଇଁ ନୀତିକାନ୍ତି ବିଳମ୍ବ ହେବା ସହ ଦର୍ଶନ ବନ୍ଦ କରି ଦିଆଯିବାରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଏଥିପାଇଁ ରବିବାର ଭୋର୍ ୪ଟାରୁ ସିଂହଦ୍ବାରରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ସେପଟେ ରବିବାର ଦିନ ସଅଳ ବି ଦ୍ବାରଫିଟା ହୋଇଥିବାରୁ ଭକ୍ତମାନେ ସଅଳ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।
ପ୍ରତିଦିନ ଭୋର୍ ପ୍ରାୟ ସାଢ଼େ ୫ଟା ପରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ରବିବାର ଦିନ ଭୋର୍ ୪ଟା ୧୫ରେ ଦ୍ବାରଫିଟା ନୀତି ସହ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଏଣୁ ଭୋର୍ରୁ ଭକ୍ତମାନେ ଦର୍ଶନର ସୁଯୋଗ ପାଇଥିଲେ। ସେପଟେ ସମୟ ଗଡ଼ିବା ସହ ଭିଡ଼ ବି ବଢ଼ିବା ଆରମ୍ଭ କରିଥିଲା। ପୂର୍ବାହ୍ଣ ୧୦ଟା ବେଳକୁ ଭିଡ଼ ଅଣାୟତ ହୋଇପଡ଼ିଥିଲା। ରବିବାର ଦିନତମାମ ବି ଏହି ଭିଡ଼ ଲାଗିବା ପରେ ପୁନର୍ବାର ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତମାନେ ଉଭୟ ସିଂହଦ୍ବାର ଓ ପଶ୍ଚିମଦ୍ବାରରେ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ।
କେବଳ ଶ୍ରୀମନ୍ଦିର ବାହାରେ ନୁହେଁ, ଶ୍ରୀମନ୍ଦିର ଭିତରେ ବି ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିଲା। ସାତପାହାଚ ପୂର୍ବରୁ ଯେଉଁ ଏକାଧିକ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି, ତାକୁ ଅତିକ୍ରମ କରି ଭକ୍ତମାନେ ଏକାଧିକ ଧାଡ଼ିରେ ମନ୍ଦିର ଭିତର ବେଢ଼ାରେ ଛିଡ଼ା ହୋଇଥିଲେ। ଭିଡ଼କୁ ଦେଖି ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା। କିନ୍ତୁ ନାଟମଣ୍ଡପ ଓ ଭିତର କାଠରେ ସେଭଳି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଭକ୍ତମାନ ଭିଡ଼ ଭିତରେ ଠେଲାପେଲା ହୋଇ ଦର୍ଶନ କରି ଫେରିଥିଲେ।