ମାଲକାନଗିରି: ନକ୍ସଲ ଦମନ ଲକ୍ଷ୍ୟ ହାସଲ ଦିଗରେ ଆଉ ପାଦେ ଆଗେଇଲେ ଛତିଶଗଡ଼ ସରକାର। ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ନକ୍ସା ପ୍ରସ୍ତୁତ ହୋଇଗଲାଣି। ପ୍ରାୟ ୫୦ହଜାର ଯବାନଙ୍କୁ ଅପରେସନ୍‌ରେ ନିୟୋଜିତ କରାଯାଇଛି। ଟାର୍ଗେଟ୍‌ରେ ଅଛନ୍ତି ଦୁଇ ହଜାର ନକ୍ସଲ। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନକ୍ସଲମୁକ୍ତ କରି ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି ସରକାର। ‌ତେଣୁ ଆସନ୍ତା ୬ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ତେବେ ଦୁଇ ଶକ୍ତି ମଧ୍ୟରେ ବଳ କଷାକଷି  ଯୋଗୁଁ ସାଧାରଣ ଜନତା ପେଷି ହେବାର ଆଶଙ୍କା ରହିଛି।
ମୋଦୀ ୩.୦ ସରକାରରେ ଦେଶକୁ ନକ୍ସଲ ଶୂନ୍ୟ କରିବାକୁ ପ୍ରାଥମିକତା ଦିଆଯାଇଛି। ତେଣୁ କେନ୍ଦ୍ର ଗୃହ ମନ୍ତ୍ରୀ ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୂଳପୋଛ ହୋଇଯିବେ ବୋଲି ବାରମ୍ବାର କହୁଛନ୍ତି। ମୁଖ୍ୟସ୍ରୋତକୁ ଫେରିବା ଲାଗି ବି ବାରମ୍ବାର ଆହ୍ବାନ ଦେଉଛନ୍ତି। ତେବେ ଏଥିପାଇଁ ଦୁଇ ବର୍ଷ ତଳୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଯାହାର ପରିଣାମ ହେଲା ଦୁଇବର୍ଷ ଭିତରେ ୨୧୯ଜଣ ନକ୍ସଲ ନିହତ ହୋଇଛନ୍ତି। ପ୍ରାୟ ୮୫୦ ନକ୍ସଲ ଗିରଫ ହୋଇଥିଲା ବେଳେ ୮୦୨ଜଣ ଆତ୍ମସମର୍ପଣ କରିସାରିଲେଣି। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ଛତିଶଗଡ଼ର ବିଜାପୁର, ସୁକମା, ଦନ୍ତେୱାଡା, ନାରାୟଣପୁର, କାଙ୍କେର ଏବଂ କୋଣ୍ଡାଗାଁଓ ଅଞ୍ଚଳରେ ହିଁ ନକ୍ସଲ ସୀମିତ ହୋଇ ରହିଛନ୍ତି। ବିଜାପୁର, ସୁକମା ଏବଂ ଦନ୍ତେୱାଡ଼ାରେ ନକ୍ସଲଙ୍କ ସର୍ବାଧିକ ଗତିବିଧି ରହିଛି।

Advertisment

‘ଛତିଶଗଡ’ର ଏକ ଆଲୋଚନାଚକ୍ରରେ ଏଡିଜି (ନକ୍ସଲ ଅପରେସନ୍) ବିବେକାନନ୍ଦ କହିଛନ୍ତି ଯେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହୁଥିବା ପ୍ରତି ପରିବାରର ସମସ୍ତ ସଦସ୍ୟ ସରକାରୀ ଯୋଜନାରେ ଉପକୃତ ହେବା ଉଚିତ। ଏଥିପାଇଁ ସରକାର ମଧ୍ୟ ପୂରା ଆନ୍ତରିକତା ସହ ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ‘ନୟାଦ ନେଲା ନାୟାର’ ଯୋଜନା ଗୁରୁତ୍ୱପୂର୍ଣ୍ଣ। ବିଜାପୁର ଏବଂ ସୁକମାର ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ଜୋର୍‌ସୋରରେ ଚାଲିଛି। ଦୁଇ ବର୍ଷ ଭିତରେ ବିଜାପୁରରେ ୫୦ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି। ସିଆର୍‌ପିଏଫ୍‌ ବ୍ୟତୀତ ବିଏସ୍‌ଏଫ୍‌ ଏବଂ ଜିଲ୍ଲା ପୁଲିସ ଫୋର୍ସ ମଧ୍ୟ ବସ୍ତରରେ ମୁତୟନ ହୋଇଛନ୍ତି। ସମୁଦାୟ ୫୦ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ବଳ ଭିତରେ ସମନ୍ବୟ ବି ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନକ୍ସଲ ଅପରେସନ୍‌ର ସିଧାସଳଖ ନିରୀକ୍ଷଣ କରୁଛି। ଗୁଇନ୍ଦା ତଥ୍ୟ ଅନୁସାରେ ବିଜାପୁର, ଦନ୍ତେୱାଡା ଏବଂ ସୁକମାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାୟ ଦୁଇ ହଜାର ନକ୍ସଲ ରହିଛନ୍ତି। ସେଥିରୁ ପ୍ରାୟ ହଜାରେ ନକ୍ସଲ ତାଲିମପ୍ରାପ୍ତ। ଯଦି ରଣନୀତିର ସଫଳ ରୂପାୟନ ହୁଏ ତେବେ ଚଳିତବର୍ଷ ଜୁନ୍‌ ସୁଦ୍ଧା ନକ୍ସଲ ଅସ୍ତିତ୍ବ ହରାଇବେ ବୋଲି ବିଶେଷଜ୍ଞ ଆଶା କରୁଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକରେ ଶହେ କିମ୍ବା ଅତିବେଶିରେ ୨୦୦ ନକ୍ସଲ ଅଛନ୍ତି। ଏଥିପାଇଁ ସରକାରଙ୍କ ସର୍ବାଧିକ ଫୋକସ୍‌ ଛତିଶଗଡ଼ ଉପରେ ରହିଛି। ବିଜାପୁରରେ ଜୁନ୍ ମାସରେ ବର୍ଷା ଆରମ୍ଭ ହେବ। ଏହା ପୂର୍ବରୁ ଅପେରସନ ଶେଷ କରିବାକୁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି।