ରାୟଗଡ଼ା: ୧୯୭୪ ମସିହାର କୋର୍ଟ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଜୟପୁର ସୁଗାର କମ୍ପାନି (ଜେଏସକୋ)କୁ ଲାଗିଛି ଝଟକା। ୮ ବର୍ଷ ଧରି ଚାଲିଥିବା ମାମଲାର ବିଚାର କରି ହାଇକୋର୍ଟ ଜେଏସକୋ ଆବେଦନକୁ ଖାରଜ କରିଛନ୍ତି। କମ୍ପାନି ଅଧୀନରେ ବଳକା ଥିବା ୫୦୬ ଏକର ଜମି ତୁରନ୍ତ ସରକାରୀ ଖାତାକୁ ଫେରାଇବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶରେ ରାଜସ୍ବ ବିଭାଗ ମାପଚୁପ୍ କରି ନାଲି ପତାକା ମାରି ଉକ୍ତ ଜମିକୁ ନିଜ ଦଖଲକୁ ନେଇଛି। ଦୀର୍ଘ ୪୮ ବର୍ଷର ପ୍ରୟାସ ପରେ ସରକାରୀ ଖାତାକୁ ଜମି ଫେରିବା ପରେ ରାୟଗଡ଼ାବାସୀ ଖୁସି ପ୍ରକାଶ କରିଛନ୍ତି।

Advertisment

କମ୍ପାନି ଅଧୀନରୁ ସରକାରୀ ଖାତାକୁ ଆସିଥିବା ୫୦୬ ଏକର ୬୯ ସେଣ୍ଟ୍ ଜମି ମଧ୍ୟରେ ରାୟଗଡ଼ା ରାଜସ୍ବ ସର୍କଲ ଅଧୀନରେ ଥିବା ବାରିଝୋଲା ଗାଁରେ ସର୍ବାଧିକ ୨୬୨.୬୯ ଏକର ରହିଛି। ସେହିପରି ସିରିଗୁଡାରେ ୧୧.୬୪ ଏକର, ସିରିକଣାରେ ୧୦.୧୮ ଏକର, ଚେକାଗୁଡାରେ ୬.୯ ଏକର, ତୁମ୍ବିଗୁଡାରେ ୧୫.୯ ଏକର, ଜୟରାମଗୁଡାରେ ୨୦.୨ ଏକର, ରାଣୀଗୁଡାରେ ୩୯.୭୨ ଏକର ଜମି ରହିଛି। ମାଳିଗାଁ ରାଜସ୍ବ ସର୍କଲର ଖଲିଗୁଡା ଗାଁରେ ୩.୩୪ ଏକର, ପିତାମହଲ ସର୍କଲର ପିତାମହଲ ଗାଁର ୨.୩୮ ଏକର, କୁମୁଟିପେ‌ଣ୍ଠ ସର୍କଲର କୁମୁଟିପେଣ୍ଠ ଗାଁରୁ ୧୩୫.୧୩ ଏକର ଜମି ଚିହ୍ନଟ ହୋଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ ପ୍ରମୁଖ ରାଜସ୍ବ ମ୍ୟାପକୁ ଅନୁଧ୍ୟାନ କରି ନାଲି ପତାକା ଲଗାଇଛନ୍ତି।

publive-image

ସରକାରୀ ଖାତାକୁ ଫେରିବାକୁ ୫୦୬.୬୯ ଏକର ଜମି ମଧ୍ୟରୁ ୨୦୧.୨୭ ଏକରରେ ନୀଳଗିରି ଚାଷ, ୧୬୦ ଏକର ଚାଷ ଜମି, ୪.୨୧ ଏକରରେ ଜାତୀୟ ରାଜପଥ, ୩.୮୭ ଏକରରେ ଘର, ୯.୪୫ ଏକରରେ ବସ୍ତି, ୨.୭୧ ଏକରରେ ଗ୍ରାମ୍ୟ ଜଳ ଯୋଗାଣ ଅଫିସ୍, ୪.୭୩ ଏକରରେ ପୋଖରୀ ରହିଛି। ୧୬୦ ଏକର ପଡ଼ିଆ ପଡିଥିବା ବେଳେ ୨.୩୮ ଏକର ସରକାରୀ ଖାତାକୁ ଫେରିଛି।