ବନ୍ଦ ହୋଇଗଲା କାଜୁ ମିଲ, ବେରୋଜଗାର ହେଲେ ୫୧ ବଣ୍ଡା ପରିବାର

ସରକାରଙ୍କ କୋଟି କୋଟି ଟଂକା ପାଣିରେ ପଡିଲା

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା ଏବଂ ଦିଦାଇ ସଂପ୍ରଦାୟର ଲୋକେ ବସବାସ କରନ୍ତି। ଏଥିସହ କୋୟା, ପରଜା, ଗାଦବା, କନ୍ଧ ଭଳି ସଂପ୍ରଦାୟର ଲୋକେ ମଧ୍ୟ ବସବାସ କରନ୍ତି। ପ୍ରାୟ ଅଶୀ ପ୍ରତିଶତ ଲୋକେ ଏଠାରେ ଆଦିବାସୀ ହୋଇଥିବା ବେଳେ ସେମାନଙ୍କର ଉନ୍ନତି ପାଇଁ ସରକାର କାହିଁ କେତେ ଯୋଜନା କରୁଛନ୍ତି। କିନ୍ତୁ ଜିଲ୍ଲାର ଆଦିବାସୀଙ୍କର ସେଭଳି କୌଣସି ଉନ୍ନତି ପରିଲକ୍ଷିତ ହେଉ ନାହିଁ। ଯଦି ଆମେ ବଣ୍ଡା ଜନଜାତିଙ୍କ କଥା ନେବା ତେବେ ସବୁ ସ୍ପଷ୍ଟ ହୋଇଯିବ।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହୁଛନ୍ତି ଆଦିମ ଜନଜାତି ବଣ୍ଡା। ବଣ୍ଡାଘାଟିର ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ପ୍ରାୟ ୭ ହଜାର ବଣ୍ଡା ଲୋକ ରହିଆସୁଛନ୍ତି। ଏମାନଙ୍କର ଉନ୍ନତି ପାଇଁ ସରକାର କାହିଁ କେତେ ଯୋଜନା କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନେ ଘାଟି ଉପରେ ହିଁ ରହିଗଲେ ତଳକୁ ଓହ୍ଲାଇପାରିଲେ ନାହିଁ। ଏହାର ଅର୍ଥ ହେଲା ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏହି ଜନଜାତିକୁ ଆହୁରି ବର୍ଷ ବର୍ଷ ଲାଗିଯିବ। ତେବେ ଏମାନଙ୍କର ଉନ୍ନତି ପାଇଁ ୭୦ ମସିହା ବେଳକୁ ବଣ୍ଡା ଉନ୍ନୟନ ସଂସ୍ଥାର ସ୍ଥାପନ କରାଯାଇଥିଲା। ଏହି ସଂସ୍ଥା ତରଫରୁ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ବଣ୍ଡାଙ୍କ ଉନ୍ନତି ପାଇଁ ଚିନ୍ତା କରାଯାଇଥିଲା। ଏହି ସଂସ୍ଥା ତରଫରୁ ଟଂକା ଖର୍ଚ୍ଚ ହେଉଛି ସତ କିନ୍ତୁ ଏହି ଜନଜାତିଙ୍କର କୌଣସି ଉନ୍ନତି ହୋଇପାରୁନାହିଁ। ତେବେ କେଉଁଠି ଦୋଷ ରହିଲା।

ଏହି ଜନଜାତିର ମହିଳାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଆଇଟିଡିଏ ଏବଂ ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଖଇରପୁଟର ମୁଣ୍ଡିଗୁଡାରେ ଏକ କାଜୁ ପ୍ରୋସେସିଂ ପ୍ଲାଣ୍ଟର ସ୍ଥାପନ କରାଗଲା।କୋଟିଏ ଟଂକାର ଗୃହ ନିର୍ମାଣ କରାଯାଇ କୋଟି କୋଟି ଟଂକାର ମେସିନ ଅଣାଗଲା।ଏହି ଅଂଚଳର କାଜୁ ଏହି ମହିଳାମାନେ ଖରିଦ କରି ଏଠାରେ କାଜୁ ବାହାର କରିବେ।ଏହି କାଜୁ ରାଜ୍ୟ ସହ ବାହାର ରାଜ୍ୟକୁ ମଧ୍ୟ ରପ୍ତାନୀ କରାଯାଉଥିଲା। ଗତ ୨୦୧୬-୧୭ ମସିହା ବେଳକୁ ଏହି କାଜୁ ପ୍ଲାଣ୍ଟ ଆରମ୍ଭ ହେଲା ସତ କିନ୍ତୁ ଗୋଟିଏ ବର୍ଷ ଚାଲିବା ପରେ ଠପ୍ ହୋଇଗଲା। ଏହାର କାରଣ ଜଣାପଡନଥିବା ବେଳେ ଏହି କାଜୁ ପ୍ଲାଣ୍ଟରେ ରୋଜଗାର କରୁଥିବା ୫୦ରୁ ଊର୍ଦ୍ଧ୍ବ ବଣ୍ଡା ପରିବାର ବେରୋଜଗାର ହୋଇଗଲେ।ପୁଣି ନିଜର ପୁରୁଣା ବେଉସାକୁ ଫେରିଗଲେ।ଜଂଗଲରୁ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ବଜାରରେ ବିକ୍ରି କରି ପରିବାର ଚଳାନ୍ତି।

ବଣ୍ଡା ପୁଅ ଝିଅମାନେ ଅଶିକ୍ଷିତ ହେବା ଫଳରେ କାମଧନ୍ଦା ନମିଳିବାରୁ ପଡୋଶୀ ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ଏବେ ବି ବଣ୍ଡାଘାଟିର ଶହ ଶହ ପୁଅ ଝିଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଏବଂ ବଣ୍ଟା ଉନ୍ନୟନ ସଂସ୍ଥା ଏମାନଙ୍କୁ ଜିଲ୍ଲା ଭିତରେ ରୋଜଗାର କରାଇପାରନ୍ତା ତେବେ ସେମାନେ ନିଜର ପରିବାର ସହ ରହି କାମ କରିପାରିଥାନ୍ତେ। ବାହାର ରାଜ୍ୟକୁ ଯାଇ ବହୁ ହିନସ୍ତା ହେଉଥିବା ଦେଖିବାକୁ ମିଳିଛି।ବଣ୍ଡା ଝିଅମାନେ ବାହା ରାଜ୍ୟକୁ ଯାଇ ଗର୍ଭବତୀ ହୋଇ ଫେରିବା ଭଳି ଘଟଣା ମଧ୍ୟ ଘଟିଯାଇଛି। ସେହିପରି ବଣ୍ଡା ଯୁବକମାନେ ଟଂକା ପଇସା ନପାଇ ଦୁର୍ଦିନରେ କାମ କରୁଛନ୍ତି। କରୋନା ପୂର୍ବରୁ ଏହି କାଜୁ ମିଲ ପୁନଃ ଚାଲୁ ହୋଇପୁଣି ବନ୍ଦ ହୋଇଗଲା।

ମୁଣ୍ଡିଗୁଡାରେ କାଜୁ ପ୍ରୋସେସିଂ ପ୍ଲାଣ୍ଟ ବସିବା ପରେ ବଣ୍ଡା ଜନଜାତିର ମହିଳାମାନେ ରୋଜଗାକ୍ଷମ ହୋଇ ପରିବାର ଚଳାଇବାରେ ସହାୟକ ହେବେ ବୋଲି ଯାହା ଚିନ୍ତା କରାଯାଉଥିଲା ତାହା ଫସର ଫାଟିଗଲା। ଏବେ ୫୦ରୁ ଉର୍ଦ୍ଧ୍ବ ପରିବାର ବେରୋଜଗାର ହୋଇ ବସି ରହିଛନ୍ତି। ତେବେ ଏନେଇ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ହୃଦାନନ୍ଦ ସାହୁଙ୍କୁ ପଚାରିବାରୁ ଆଗାମୀ ଦିନରେ ଏହି କାଜୁ ପ୍ଲାଣ୍ଟ ଚାଲିବ।ଦୀର୍ଘ ଦିନ ଧରି ଛାଲିନଥିବାରୁ ଏଥିପାଇଁ ଟଂକା ଦରକାର ପଡୁଛି।ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଛୁ।ସେହିପରି ବହୁ ଦିନ ଧରି ମେସିନଗୁଡିକ ଅଚଳ ହୋଇ ପଡି ରହିଛି। ଏହାର ମରାମତି ମଧ୍ୟ ଦରକାର।ମହିଳମାନଙ୍କୁ ତୁରନ୍ତ ରୋଜଗାର ଦିଆଯିବା ସହ କାଜୁ ଖରିଦ କରିବେରେ ସେମାନେ ନିୟୋଜିତ ହେବେ ବୋଲି କହିଥିଲେ।

ସେହିପରି ଆଇଟିଡିଏର ନୂତନ ପ୍ରକଳ୍ପ ଅଧିକାରୀ ତ୍ରିନାଥ ମାଝିଙ୍କୁ ପଚାରିବାରୁ ଏନେଇ ସେ ଅବଗତ ରହିବା ସହ କିପରି ଏହି କାଜୁ ମିଲ ତୁରନ୍ତ ଆରମ୍ଭ ହେବ ସେନେଇ ପଦକ୍ଷେପ ନେବେ ବୋଲି କହିଥିଲେ। ଆରମ୍ଭ ଆରମ୍ଭ ହେବ ବୋଲି ଦୁଇ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ଲାଣ୍ଟ ଆରମ୍ଭ ହୋଇପାରୁନାହିଁ। ତେବେ କେଉଁଠି ସମସ୍ୟା ରହିଛି ତାକୁ ତୁରନ୍ତ ସମାଧାନ କରି ଏହି କାଜୁ ପ୍ଲାଣ୍ଟକୁ ଚାଲୁ କରିବା ପାଇଁ ଦାବି ହୋଇଛି।ଚଳିତ ବର୍ଷ ପ୍ରଚୁର କାଜୁ ହୋଇଥିବା ବେଳେ ଏହି ପ୍ଲାଣ୍ଟ ଯଦି ଚାଲନ୍ତା ତେବେ ବହୁ ବଣ୍ଡା ମହିଳା ଏହି ପ୍ଲାଣ୍ଟରେ ରୋଜଗାର ପାଇପାରନ୍ତେ ବୋଲି କୁହାଯାଇଛି। ‘ସରକାର କା ମାଲ ଦରିଆ ମେ ଡାଲ’ ସଦୃଶ୍ୟ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ପ୍ଲାଣ୍ଟ ବସଗଲା ସତ କିନ୍ତୁ ଏହାର ଉଚିତ ବିନିଯୋଗ ନହେବା ଫଳରେ ଏହାର ମେସିନଗୁଡିକ ଖରାପ ଆଡକୁ ଗତି କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ କାଜୁ କିଲୋ ପିଛା ୮୦୦ରୁ ୯୦୦ ଟଂକା ରହିଛି। ତେବେ ମାଲକାନଗିରି ଜିଲ୍ଲାର କାଜୁ ଅନ୍ୟ କାଜୁ ଅପେକ୍ଷା ଭଲ ରହିଥିବାରୁ ଏହାର ଚାହିଦା ମଧ୍ୟ ବେଶୀ।ତେବେ ଏହି କାଜୁ ପ୍ଲାଣ୍ଟ କେବେ ଚାଲୁ ହେବ ତାହା ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର