ଭୁବନେଶ୍ବର : ରାଜ୍ୟ ସରକାର ସିଆର୍ଡିପି ପରିଯୋଜନା ମାଧ୍ୟମରେ ରାଜଧାନୀରେ ବିଧାୟକ ଏବଂ ସରକାରୀ କର୍ମଚାରୀଙ୍କ ରହଣି ନିମନ୍ତେ ୟୁନିଟ-୪ସ୍ଥିତ ଏମ୍ଏଲ୍ଏ କଲୋନି ଓ ସାଧାରଣ ପ୍ରଶାସନ ବିଭାଗ ଜମିରେ ୧୯୫ଟି ଟାଇପ୍ -୬ ଏବଂ ୧୦୫ଟି ଟାଇପ୍-୭ କ୍ବାର୍ଟର୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟର୍ଣ୍ଣକି ପ୍ରକଳ୍ପ ପାଇଁ ୫୧୦କୋଟି ଖର୍ଚ୍ଚ ହେବ। ଏନେଇ କେଇସି ଇଣ୍ଟରନ୍ୟାସନାଲ ଲିମିଟେଡର ସର୍ବନିମ୍ନ ନିବିଦାକୁ କାର୍ଯ୍ୟାରମ୍ଭ ନିମନ୍ତେ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଭିତ୍ତିଭୂମି ସୁବିଧା ନିର୍ମାଣ ଏବଂ ହକି ବିଶ୍ବକପ୍-୨୦୨୩ ପାଇଁ ରାଉରକେଲା ଠାରେ ନୂତନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପାଇଁ ୮୭୫.୭୮କୋଟି ଟଙ୍କାର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମକୁ ଏବେ ବିଭିନ୍ନ ସୁବିଧା ଦ୍ବାରା ନବୀକରଣ କରାଯାଉଛି। ଏଠାରେ ଦେଶର ପ୍ରଥମ ଇନଡୋର୍ ଆଥଲେଟିକ୍ ଷ୍ଟାଡିୟମ୍, ଇନଡୋର୍ ଆକ୍ବାଟିକ୍ ସେଣ୍ଟର, ସେଣ୍ଟର ଟେନିସ୍ କୋର୍ଟ, ହକି ଏଚ୍ପିସି ବିଲଡିଂ, ଆବାସ ସୁବିଧା କରାଯାଉଛି। ଏହି ପ୍ରକଳ୍ପ ପାଇଁ ୪୩୨.୪୫୪ କୋଟିର ମୋଟ୍ ବଜେଟ୍ ହୋଇଥିବାବେଳେ ଏହାକୁ ଗତବର୍ଷ ମେ' ୮ରେ କ୍ୟାବିନେଟ୍ ଅନୁମୋଦନ କରିଥିଲା। ହେଲେ ଆଇଆଇଟି ବମ୍ବେ ଏବଂ ଜାତୀୟ/ଆନ୍ତର୍ଜାତିକ ଫେଡେସେନ୍ଗୁଡ଼ିକର ଷ୍ଟାଡିୟମ ବିଶେଷଜ୍ଞଙ୍କ ମତକୁ ଆଧାର କରି ସଂରଚନାଗୁଡ଼ିକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଡିଜାଇନ୍ ଏବଂ ସୁରକ୍ଷା ପାରାମିଟର ନବୀକରଣ କରାଯାଇଥିଲା। ଏହାଦ୍ବାରା ନିର୍ମାଣ ଖର୍ଚ୍ଚ ବଢ଼ିଥିଲା। ଇସ୍ପାତ, ପିଓଏଲ୍, ଆଲୁମିନିୟମ ଇତ୍ୟାଦି ମୂଲ୍ୟ ବୃଦ୍ଧି ମଧ୍ୟ ମୋଟ୍ ପ୍ରକଳ୍ପ ମୂଲ୍ୟକୁ ବୃଦ୍ଧି କରିଥିଲା। ଏହାବାଦ୍ ଜିଏସ୍ଟି ହାର ୧୨ରୁ ୧୮%କୁ ବଢ଼ିବାରୁ ପ୍ରକଳ୍ପ ମୂଲ୍ୟ ଅଧିକ ବଢ଼ିଥିଲା ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/quarters-sss.jpg)