୫୧ତମ ଜିଲ୍ଲା ପରିଷଦ ବୈଠକ: ଜଳଯୋଗାଣ ଓ ଗମନାଗମନ ଉପରେ ଗୁରୁତ୍ବ

କୋରାପୁଟ: ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଆଜି କୋରାପୁଟ ଜିଲ୍ଲା ପରିଷଦର ୫୧ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୨୪୦ ପଞ୍ଚାୟତର ପ୍ରାୟ ୧୯୦୮ ଗାଁକୁ ପାଣି ଓ ରାସ୍ତା ସଂଯୋଗ। କୌଣସି ପରିସ୍ଥିତିରେ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ନବନିର୍ବାଚିତ ସଦସ୍ୟ ଦାୟିତ୍ବ ନେବେ। ଜିଲ୍ଲାର ପ୍ରତିଟି ଗାଁକୁ ପାନୀୟ ଜଳ ଓ ରାସ୍ତା ଖଣ୍ଡିଏ ଯୋଡି ହେଲେ ଆପେ ଆପେ ସବୁ ସମସ୍ୟାର ସମାଧନ ହୋଇଯିବ ବୋଲି ମତ ପ୍ରକାଶ ପାଇଥିଲା। ଲୋକ ପ୍ରତିନିଧି ଓ ପ୍ରଶାସନ ଏହି ଦୁଇ ପ୍ରସଙ୍ଗଉପରେ ଗୁରୁତ୍ବ ଦେଇଛନ୍ତି। ଜିଲ୍ଲାରେ ଖରାଦିନେ ପାନୀୟ ଜଳ ସଂକଟ ଦେଖାଦିଏ। ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପରିଷଦ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଜିଲ୍ଲାର ୧୪ଟି ବ୍ଲକରେ ଏବେ ମୋଟ ୧୫ହଜାର ୮୯୭ଟି ସଚଳ ଜଳଉତ୍ସ ରହିଥିବାବେଳେ ୧୫ହଜାର ୨୧୫ଟି ନଳକୂପ, ୬୮୨ଟି ପରିମଳ କୂପ, ୫୯୩ଟି ପାଇପଯୋଗେ ଜଳ ଯୋଗାଣ ପ୍ରକଳ୍ପ ରହିଅଛି। ଏହା ଜିଲ୍ଲାରେ ନଳକୂପ ମରାମତି କରିବାକୁ ୨୩ଟି ମରାମତି ଭ୍ରାମ୍ୟମାଣ ଗାଡିବୁଲୁଥିବା ନେଇ ତଥ୍ୟ ପ୍ରଦାନ କରିଥିଲେ ଆରଡବ୍ଲୁଏସଏସର ନିର୍ବାହୀଯନ୍ତ୍ରୀ ନାରାୟଣ ଗାନ୍ଧୀ।

ହେଲେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଝାଡିଥିଲେ ଉପସ୍ଥିତ ଥିବା ଜିଲ୍ଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷ। ଏହାସହ ବିଧାୟକ ତାରା ପ୍ରସାଦ ବାହିନିପତି ମଧ୍ୟ ତଥ୍ୟକୁ ନେଇ ବିଗିଡିଥିଲେ। ମୁରାନ ଡ୍ୟାମ ଉପରେ ଚାଲୁ ରହିଥିବା ମେଗା ପ୍ରକଳ୍ପ କାର୍ଯ୍ର ଶେଷ କେବେ ହେବ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ। କୋଟପାଡ, ବୋରିଗୁମ୍ମା, ଜୟପୁର ଓ ନିଜେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଏନେଇ ଉତ୍ତର ମାଗିଥି‌ଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ଏନେଇ ନିରୁତ୍ତର ରହିଥିଲେ।  ତେବେ ଗ୍ରାମ୍ୟ ଜଳଯୋଗାଣ ପାଇଁ ବସୁଥିବା ପାଇପକୁ ନେଇ ଗୃହରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଠିକାଦାରମାନେ କାର୍ଯ୍ୟ ନାମରେ ଭଲ ରାସ୍ତାକୁ ଖରାପ କରୁଥିବା ନେଇ ଗୃହକୁ ଜଣାଇଥିଲେ। ଜିଲ୍ଲାପାଳ, ବିଧାୟକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ମଧ୍ୟ ଏନେଇ ବିରକ୍ତି ପ୍ରକାଶ କରିଥିଲେ। ଖାଲି ଯେ ଗାଁ ତାହାକୁ ନୁହେଁ ସହର ମଧ୍ୟରେ ଜଳ ପାଇଁ ପାଇପ ବସାଇବାକୁ ଯେଉଁ ରାସ୍ତା ଖୋଳାଯାଉଛି ତାହାର ତୁରନ୍ତ ମରାମତି କରାଯିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି।

ଏହାସହ କୋରାପୁଟ ଜିଲ୍ଲାରେ ଉଭୟ ରାଜ୍ୟ ଓ କ‌େନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟଣନ ହୋଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ସତ ହେଲେ ଏହାର ତଦାରଖ ହେଉ ନ ଥିବାରୁ କାର୍ଯ୍ର ନିମ୍ନ ମାନର ବୋଲି ନିର୍ବାଚିତ ପ୍ରତିନିଧି ପ୍ରଶ୍ନ କରିଥିଲେ। ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଥିଲେ। ଆସନ୍ତା ବୈଠକରେ ଯେପରି ଏହି କାର୍ଯ୍ୟସବୁ ହେବ ସେନେଇ ଉପସ୍ଥିତ ରହିଥିବା ପ୍ରଶାସନିକ ଅଧିକାରୀ ଦୃଢ‌ୋକ୍ତି ପ୍ରକାଶ କରିଥିଲେ। ପିଡି ଡିଆରଡିଏ ହେମକାନ୍ତ ସଏଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ହସ୍ତତନ୍ତ ମନ୍ତ୍ରୀ ପଦ୍ମୀନି ଦିଆନ, ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକା, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକପିତମ ପାଢୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ସହ ୨୮ଜଣ ଜିଲ୍ଲା ପରିଷଦ ସଦସ୍ୟ, ୧୪ଟି ବ୍ଲକର ଅଧ୍ୟକ୍ଷ, ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ ଜିଲ୍ଲାର ବିକାଶ ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ  ନୁତନ ଭାବେ ୭ଟି ସ୍ଥାୟୀ ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି। ଏହି ସ୍ଥାୟୀ କମିଟିରେ ଯୋଜନା ଓ ସମନ୍ବୟ, ଅର୍ଥ, ଦାରିଦ୍ୟ ଦୂରିକରଣ, କୃଷି ଓ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପଶୁ ସମ୍ପଦ ଓ ମତ୍ସ୍ୟ ସମ୍ପଦ, ଜଳବିଭାଜିକା ଉନ୍ନୟନ, ସମବାୟ ସ୍ଥାୟୀ କମିଟି, ଗ୍ରାମ୍ୟ ନିର୍ମାଣ ଓବିଦ୍ୟୁତ, କ୍ଷୁଦ୍ର ଜଳ ସେଚନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ସ୍ବାସ୍ଥ୍ୟ-‌ଏଲୋପାଥିକ୍‌ , ହୋମିଓପାଥିକ ଓ ଆୟୁରବେଦିକ, ସମାଜ ମଙ୍ଗଳ, ବନ ସମ୍ପଦ, ସାଧାରଣ ବଣ୍ଟନ ଓଖାଉଟି ସୁରକ୍ଷା, ହସ୍ତତନ୍ତ ଓ କୁଟିର ଶିଳ୍ପ, ଗ୍ରାମ୍ୟ ଗୃହ ନିର୍ମାଣ, ରେଶମ ଓ ହସ୍ତତନ୍ତ, ସ୍ବଳ୍ପ ସଞ୍ଚୟ , ଶିକ୍ଷା ଓ କ୍ରୀଡା ଏବଂ ସଂସ୍କୃତି ନାମରେ ଗଠନ ହୋଇଛି। ଏଥିରେ ୨୯ଜଣ ଜିଲ୍ଲା ପରିଷଦ ସଦସ୍ୟ ଓ ୧୪ଟି ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା ରହିଛନ୍ତି।

ବିଡିଓ ମାନେ ଚେୟାର ଦେଉ ନାହାନ୍ତି: ତାରା

ନବରଙ୍ଗପୁର ପରି କୋରାପୁଟ ଜିଲ୍ଲାରେ ବିଡିଓମାନେ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି। ବ୍ଲକ କାର୍ଯ୍ୟାଳୟକୁ ଗଲେ ବସିବାକୁ ଚେୟାର ଟିକେ ଦେଉ ନାହାନ୍ତି। କ୍ଷମତାରର ଲୋଭ ବଢି ବଢି ଚାଲିଛି। ଲୋକଙ୍କ ପ୍ରତିନିଧିଙ୍କୁ ଅସମ୍ମାନର ଅର୍ଥ ଗଣତନ୍ତ୍ରକୁ ଅସମ୍ମାନ। ଖାଲି ସେ ନୁହନ୍ତି, ବହୁ ଜିଲ୍ଲାପରିଷଦ ସଦସ୍ୟ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ବିଡିଓମାନେ ପଚାରୁନାହାନ୍ତି।  ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିଥିବାବେଳେ ଜିଲ୍ଲାପାଳ ଏନେଇ ଦୃଷ୍ଟି ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର