ମାର୍ଲବା ଘାଟିରେ ଓଲଟିଲା ବସ୍‌, ୫୨ ଆହତ, ୪ ଗୁରୁତର

ପାରଳାଖେମୁଣ୍ଡି : ଶୁକ୍ରବାର ସକାଳ ୬ଟା ବେଳେ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଆସୁଥିବା ଘରୋଇ ବସ୍ ‘ଇସ୍ପାତ’(ଓଡି ୦୫ ଏଲ ୬୨୮୮) ମାର୍ଲବା ଘାଟି (ସୁରଙ୍ଗି ଶଙ୍ଖ ଘାଟି ନିକଟ)ରେ ଓଲଟି ପଡ଼ିବା ଫଳରେ ‌ସେଥିରେ ବସିଥିବା ୫୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ରାସ୍ତା ପାର୍ଶ୍ବ ଧାନ ଜମିରେ ବସ୍‌ଟି ଓଲଟି ପଡ଼ିବା ପରେ ସ୍ଥାନୀୟ ବଡ଼ପଦା ଗ୍ରାମର ବାସିନ୍ଦା ଓ ଖଜୁରୀପଦା ପୁଲିସର ସହଯୋଗରେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଏଥିରେ ଅଧିକାଂଶ ଜେଆଇଟିଏମରେ ପଢ଼ୁଥିବା ଛାତ୍ରଛାତ୍ରୀ ଥିଲେ। ପାହାନ୍ତା ପ୍ରହର ହେତୁ ପ୍ରାୟ ସମସ୍ତେ ଶୋଇଥିବାରୁ ଉଣା ଅଧି‌କେ ଆଘାତପ୍ରାପ୍ତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକ ଆହତ ହୋଇଥିବା ସୁଶୀଳ ଶବର, ବିଭୁ ଲିମା, ଅଜିତ କୁମାର ଶବର, ଦମୟନ୍ତୀ ଶବର, ଟିନା ଦିଗାଲ ଓ ଉଦୟ ବର୍ତ୍ତମାନ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତ ୪ଜଣଙ୍କୁ ଅଧିକ ଚିକିତ୍ସା ଲାଗି ପାରଳା ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର