୩ ଜିଲ୍ଲାରେ ଦୈନିକ ସଂକ୍ରମଣର ୫୨% ‌ରୋଗୀ

୧୫୫୮ ପଜିଟିଭ୍, ୬୬ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ଖୋର୍ଦ୍ଧା, କଟକ ଓ ବାଲେଶ୍ବର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଏହି ୩ ଜିଲ୍ଲାରୁ ୫୨ ପ୍ରତିଶତ ରୋଗୀ ବାହାରିଛନ୍ତି। ଗତ ୩ ମାସ ଧରି ରାଜ୍ୟରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହି ୩ ଜିଲ୍ଲାରେ ସଂକ୍ରମଣ ଥମିବାର ନାଁ ନେଉନାହିଁ। ସ୍ଥିତି ଏମିତି ହୋଇଛି ଯେ ରାଜ୍ୟ ସରକାର ମଧ୍ୟ ଖୋର୍ଦ୍ଧା, କଟକକୁ ଅନଲକ୍‌ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେଣୁ ଅଗଷ୍ଟ ୧ତାରିଖ ପରେ କାଟାଗୋରି ‘ବି’ ଜିଲ୍ଲାରେ ଅନଲକ୍ ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି।

ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି ଲଗାତାର ଭାବେ ଖୋର୍ଦ୍ଧା, କଟକରେ ଅନଲକ୍‌ ହେବା ସମ୍ଭବ ନୁହେଁ ବୋଲି କହି ଆସୁଛନ୍ତି। ଆଜି ମଧ୍ୟ ସେ ସମାନ କଥା ଦୋହରାଇଛନ୍ତି। ପ୍ରଫେସର୍‌ ମହାନ୍ତି କହିଛନ୍ତି, ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ ପାଇଁ ସ୍ଥିତି ଉପୁଜି ନାହିଁ। କଟକ, ଭୁବନେଶ୍ବରରେ କରୋନା ସ୍ଥିର ରହିଛି। ପୂର୍ବରୁ ଏହା ୫ ଶହ ଉପରେ ରହୁଥିଲା, ଏବେ ୪ଶହରେ ରହିଛି। ଏଭଳି ସ୍ଥିତିରେ ସଂପୂର୍ଣ୍ଣ ଖୋଲା ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ବରିଷ୍ଠ ଚିକିତ୍ସିକ ଡା. ନିରୋଜ ମିଶ୍ରଙ୍କ କହିବା କଥା, ରାଜ୍ୟରେ କେସ୍ ଲୋଡ୍‌ କମିଛି। କେବଳ ଡବଲ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମଲ୍‌ ପ୍ରବେଶର ଅନୁମତି ଦିଆଯାଉ। ଏପରିକି ମଲ୍‌ ଭିତରେ ଥିବା ଫୁଡକୋର୍ଟକୁ ସଂପୂର୍ଣ୍ଣ ବନ୍ଦ ରଖାଯାଉ। ଫୁଡ୍‌କୋର୍ଟ ଖୋଲିଲେ, ପୁଣି ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ରାଜ୍ୟରେ ନାଇଟ୍‌-କର୍ଫ୍ୟୁ ବଳବତ୍ତର ରହିବା ଦରକାର। ଦୋକାନ ବଜାର ୫ଟା ପର୍ଯ୍ୟନ୍ତ ଖୋଲିବା ଅନୁମତି ଜାରି ରହିବା ଦରକାର। ମାତ୍ର ଜୀବନଜୀବିକା ଦୃଷ୍ଟିରୁ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଉ।

କଟକ, ଭୁବନେଶ୍ବରରେ ସଂକ୍ରମଣ କମୁ ନଥିବାରୁ ସରକାରଙ୍କୁ ୩/୪ଟି ଦିଗ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ। ଏବେ ‌ଯେହେତୁ ଜଣେ ସଂକ୍ରମିତ ହେଲେ ପରିବାରର ଅନ୍ୟ ସମସ୍ତେ ସଂକ୍ରମିତ ହେଉଛନ୍ତି, ସେଥିପାଇଁ ସେ ଘରକୁ କଣ୍ଟେନମେଣ୍ଟ କରାଯାଉ। ସରକାରଙ୍କ ପକ୍ଷରୁ ତାଙ୍କୁ ୧୪ ଦିନ ପାଇଁ ସମସ୍ତ ସେବା ଯୋଗାଇ ଦିଆଯାଉ। ଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା କମ୍ ହେବ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଧାରୁ ୪୭୯ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୨୪୧, ବାଲେଶ୍ବର ୯୭, ଅନୁଗୁଳ ୮୦, ପୁରୀ ୮୨, ଯାଜପୁର ୭୮, ଜଗତସିଂହପୁର ୬୭, ମୟୂରଭଞ୍ଜ ୪୧, ଭଦ୍ରକ ୪୨ ଓ ଷ୍ଟେଟ୍‌ ପୁଲରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୫ହଜାର ୬୯୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ୧୧, କଟକ ୧୦, ଖୋର୍ଦ୍ଧା ୮, ଭଦ୍ରକ ୬, ଯାଜପୁର ୫, ପୁରୀ, ଜଗତସିଂହପୁର, ଗଞ୍ଜାମରେ ୪ ଲେଖାଏଁ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ବାଲେଶ୍ବରରେ ୨ ଲେଖାଏଁ, ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର