ପୁରୀ : ବନ୍ୟା ପାଣି ଛାଡ଼ିଯାଇଛି, କିନ୍ତୁ ଅଲିଭା ଦାଗ ଛାଡ଼ିଦେଇଯାଇଛି। ଘରେ ବନ୍ୟା ପାଣି ପଶିବା ପରେ ଲୋକେ ଏବେ ଘର ସଜାଡ଼ିବାରେ ଲାଗିଛନ୍ତି। ଅଥଚ ଗାଁ’ ରାସ୍ତା ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ବନ୍ୟା ଦାଉରେ କିଛି କଲ୍‌ଭର୍ଟ ମଧ୍ୟ ଧୋଇଯାଇଛି। ଯାତାୟାତ ବାଟରେ ଖାଲଖମା ଯୋଗୁ ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟୁଛି।

Advertisment

କେବଳ ନିମାପଡ଼ା, ଗୋପ, ସତ୍ୟବାଦୀ, କାକଟପୁର ଓ ଅସ୍ତରଙ୍ଗରେ ବ୍ଲକ୍‌ରେ ୫୨ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ୬୮ କିଲୋମିଟର ରାସ୍ତା ଧୋଇଯାଇଛି ଓ ୩ଟି କଲ୍‌ଭର୍ଟ କ୍ଷତିଗ୍ରସ୍ତ ହୋଇଛି। ନିମାପଡ଼ା-ବଳଙ୍ଗା ରୋଡ୍‌ରୁ ଗଡ଼ତୋରିହାଁ ପର୍ଯ୍ୟନ୍ତ ସର୍ବାଧିକ ୪କିମିରୁ ଅଧିକ ରାସ୍ତା ଧୋଇଯାଇଛି। ସେହିଭଳି ପିପିଲି-କୋଣାର୍କ ରାସ୍ତାର ପୁରୁଷଣ୍ଢ ପର୍ଯ୍ୟନ୍ତ ସାଢ଼େ ୩ କିଲୋମିଟର ରାସ୍ତା ଧୋଇ ଯାଇଛି। ସେହିଭଳି ଖେଲାର ‌ରୋଡ୍‌, ଅଙ୍କୁଶପୁର, ଗୋପାଳପୁରରୁ ମୁରାରିପୁର, ଭୂଆଁରୁ ବଉଳପଡ଼ା, ବାମନାଳରୁ ବଳଙ୍ଗା ରାସ୍ତା ବିଶେଷ ପ୍ରଭାବିତ ହୋଇଛି। ସେହିଭଳି ଗୋପର ଲୁଣାହାର ରାସ୍ତାର ସର୍ବାଧିକ ୩ କିମିରୁ ଅଧିକ ରାସ୍ତା ଧୋଇଯାଇଥିବା ବେଳେ ସୁବର୍ଣ୍ଣପୁରରୁ ଗବକୁଣ୍ଡ ରାସ୍ତା ପାଖାପାଖି ୩ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସତ୍ୟବାଦୀର କେତକୀପାଟଣା ଭାୟା ଦେଇ ଯାଇଥିବା ପ୍ରାୟ ସାଢ଼େ ୩ କି‌ମି ରାସ୍ତା ପ୍ରଭାବିତ ହୋଇଥିବା ବ‌େଳେ କେତକୀପାଟଣାରୁ ଆଳନ୍ଦପଡ଼ା ଓ କେତକୀପାଟଣାରୁ ଦୁବପାଟଣା ଓ ଓରତଣ୍ଡା ରାସ୍ତା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କାକଟପୁରର ପାଣିଛତ୍ର, ଅସ୍ତରଙ୍ଗର ତାଳଦା ଓ ରିସୋଲାରେ ରାସ୍ତା ଧୋଇଯାଇଛି।

ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ସୂଚନା ମୁତାବକ, ବନ୍ୟା ପାଣିରେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଏହାର ତ୍ବରିତ ତଥା ପ୍ରାରମ୍ଭିକ ପର୍ଯ୍ୟାୟ ପୁନରୁଦ୍ଧାର ପାଇଁ ପ୍ରାୟ ୩୬ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ବନ୍ୟା ପରେ ରାସ୍ତା ମରାମତି ଜରୁରୀ ହୋଇ ପଡ଼ିଥିବା ବ‌େଳେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଛି।