୫୨୩ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର/ଉମରକୋଟ: କୋରାପୁଟ ଜିଲ୍ଲା ଜୟପୁର ସଦର ପୁଲିସ ଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ଚାଲାଣ ହେଉଥିବା ୫୨୩ କିଲୋ ଗଞ୍ଜେଇ ଜବତ କରିଛି। ଏଥି ସହ ପୁଲିସ ଘଟଣାରେ ଜଡ଼ିତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଦାବରିଗୁଡ଼ା ଗାଁର ତ୍ରିନାଥ ମାଝୀ, ଜଗନ୍ନାଥ ମାଝୀ ଏବଂ ଉମରକୋଟ ଥାନା ମୁର୍ତୁମା ଗାଁର ଦୁଲାଲ ମଜୁମଦାର।

ଜୟପୁର ସଦର ପୁଲିସ ଥାନାକୁ ଶନିବାର ଗଞ୍ଜେଇ ଚୋରାଚାଲଣ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ପୁଲିସ ଟିମ୍‌ ଗଞ୍ଜେଇ ଚାଲାଣ କରୁଥିବା ଟିମ୍‌କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ଲମତାପୁଟ ପାର୍ଶ୍ୱରୁ ୨ଟି ବାଇକ୍‌ ଜରିଆରେ ଗଞ୍ଜେଇ ଚାଲାଣ କରାଯିବାକୁ ଯୋଜାନ ଚାଲିଛି। ଏହା ପରେ ଏସ୍‌ଆଇ ଏସ୍‌.କେ ସ୍ୱାଇଁ ଓ ତାଙ୍କର ସହକର୍ମୀମାନେ ୩୨୬ ନମ୍ବର ଜାତୀୟ ରାଜପଥର ବମୁଇଗାଁ ଛକରେ ଚୋରମାନଙ୍କୁ ଜଗି ବସିଥିଲେ। ଏହି ସମୟରେ ତ୍ରିନାଥ ମାଝୀ ଓ ଜଗନ୍ନାଥ ମାଝୀ ୪୨ କିଗ୍ରା ଗଞ୍ଜେଇ ନେଇ ଛକକୁ ପହଞ୍ଚି ଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଗଞ୍ଜେଇ ସହ ବାଇକ (ଓଆର ୧୦ ଏଚ୍‌-୧୮୩୪ ଓ ଓଡି ୧୦ ଏଫ୍‌ ୭୪୯୦) ଜବତ କରିଥିଲା। ପୁଲିସ ସେମାନଙ୍କ ଠାରୁ ଏକ ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଥିଲା। ସେହିଭଳି ଉମରକୋଟ ପୁଲିସ ଦୁଲାଲ ମଜୁମଦାର ୪୭୯ କିଲୋ ଗଞ୍ଜେଇ ଚାଲାଣ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର