୫୨୬ କୋଟିର ସରକାରୀ କୋଠାବାଡ଼ି ଉଜୁଡ଼ିଗଲା, ସବୁଠୁ ଅଧିକ କ୍ଷତି ଭୁବନେଶ୍ବରରେ

ମରାମତି ପାଇଁ ଦରକାର ୩୭୧କୋଟି, ୧୩ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ବର: ବାତ୍ୟା ରାଜ୍ୟର ୧୩ଜିଲ୍ଲାରେ ବିଧ୍ବଂସ କରିଥିବାବେଳେ ସବୁଠୁ ଅଧିକ କ୍ଷତି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି। ହେଲେ ସରକାରୀ କୋଠାବାଡ଼ି ସବୁଠୁ ଅଧିକ ଭୁବନେଶ୍ବରରେ କ୍ଷତି ହୋଇଛି। ବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସରକାରୀ କୋଠାବାଡ଼ିର କ୍ଷୟକ୍ଷତି ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଯେତିକି ସରକାରୀ କାର୍ଯ୍ୟାଳୟ କ୍ଷତି ହୋଇଛି ତା’ଠାରୁ ଅଧିକ ସରକାରୀ କ୍ବାର୍ଟର୍ସଗୁଡ଼ିକ କ୍ଷତି ହୋଇଥିବାରୁ ଏବେ ଏହାର ପୁନରୁଦ୍ଧାର ଚିନ୍ତା ଘାରିଲାଣି।

ପୂର୍ତ୍ତ ବିଭାଗର ରିପୋର୍ଟ ଅନୁଯାୟୀ, ୧୩ଟି ଜିଲ୍ଲାରେ ୫୨୬କୋଟି ୪୦ଲକ୍ଷ ୦୭ହଜାର ଟଙ୍କାର ସରକାରୀ କୋଠାବାଡ଼ି କ୍ଷତି ହୋଇଥିବାବେଳେ ଏଥିରୁ ଆବାସିକ (ସରକାରୀ କ୍ବାର୍ଟର୍ସ) ଜନିତ କ୍ଷତି ୩୧୨‌େକାଟି ୬୭ଲକ୍ଷ ୨୭ହଜାର। ଏହାର ତୁରନ୍ତ ମରାମତି ଆବଶ୍ୟକ ଥିବାରୁ ଏସ୍‌ଡିଆରଏଫ୍ ଏବଂ ଡିଆରଏଫ୍‌ରୁ ୨୨୭କୋଟି ୪୪ଲକ୍ଷ ୮ହଜାର ଟଙ୍କା ମଗାଯାଇଛି। ସେହିପରି ସରକାରୀ କାର୍ଯ୍ୟାଳୟର କ୍ଷୟକ୍ଷତି ୨୧୩କୋଟି ୭୨ଲକ୍ଷ ୮ହଜାର ଟଙ୍କାର ହୋଇଥିବାବେଳେ ଏହାର ତୁରନ୍ତ ମରାମତି ପାଇଁ ୧୪୪କୋଟି ୨ଲକ୍ଷ ୨୪ହଜାର ଟଙ୍କା ମଗାଯାଇଛି। ବାତ୍ୟାରେ ପୁରୀରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିବା‌େବଳେ ଏଠାରେ ୭୯.୭୮କୋଟି ମୂଲ୍ୟର ସରକାରୀ କାର୍ଯ୍ୟାଳୟ ଏବଂ ୩୨.୨୬କୋଟିର ସରକାରୀ କ୍ବାର୍ଟର୍ସ କ୍ଷତି ହୋଇଛି। ଏହାର ତୁରନ୍ତ ମରାମତି ପାଇଁ କାର୍ଯ୍ୟାଳୟ ପାଇଁ ୪୧.୭୮କୋଟି ଏବଂ କ୍ବାର୍ଟର୍ସ ପାଇଁ ୧୮କୋଟି ମଗାଯାଇଛି। ସେହିପରି ଭୁବନେଶ୍ବରରେ ୬୬.୭୮କୋଟିର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୨୨୯କୋଟିର ସରକାରୀ କ୍ବାର୍ଟର୍ସ କ୍ଷତି ହୋଇଛି। ଏହାର ତୁରନ୍ତ ମରାମତି କରିବାକୁ ସରକାରୀ କାର୍ଯ୍ୟାଳୟ ପାଇଁ ୬୧.୦୪ କୋଟି ଏବଂ କ୍ବାର୍ଟର୍ସ ପାଇଁ ୧୮୧.୨୧ କୋଟି ଟଙ୍କା ମଗା ଯାଇଛି।
କଟକ‌େର ପ୍ରାୟ ୪୮କୋଟିର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୩୨କୋଟି ଟଙ୍କାର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି। ଏହାର ମରାମତି ପାଇଁ ଯଥାକ୍ରମେ ୨୩କୋଟି ଓ ୧୫କୋଟି ଟଙ୍କା ମଗାଯାଇଛି।

ଜଗତସିଂହପୁରରେ ୨.୦୪କୋଟିର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ଏହାର ମରାମତି ପାଇଁ ୧.୦୨କୋଟି ମଗାଯାଇଛି। ୧.୦୫କୋଟିର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଥିବାବେଳେ ମରାମତି ପାଇଁ ୫୩.୦୫ଲକ୍ଷ ଟଙ୍କା ମଗାଯାଇଛି। କେନ୍ଦ୍ରାପଡ଼ାରେ ୩.୧୭କୋଟିର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ଏହାର ମରାମତି ପାଇଁ ୧.୭୫କୋଟି ଏବଂ ୨.୨୧କୋଟିର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଥିବାବେଳେ ମରାମତି ପାଇଁ ତୁରନ୍ତ କୋଟିଏ ଟଙ୍କା ମଗାଯାଇଛି। ଯାଜପୁରରେ କୌଣସି ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇନଥିଲେ ହେଁ ଗୋଟିଏ ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି। ଯାହା ୧ଲକ୍ଷ ଟଙ୍କାର ହେବ ବୋଲି କୁହାଯାଇଛି। ସେହିପରି ଢେଙ୍କାନାଳରେ ୨୩.୯୮ଲକ୍ଷ ଟଙ୍କାର ସରକାରୀ କାର୍ଯ୍ୟାଳୟ ଏବଂ ୨୪.୭୯ଲକ୍ଷ ଟଙ୍କାର କ୍ବାର୍ଟର୍ସ ନଷ୍ଟ ହୋଇଛି। ଏହାର ମରାମତି ପାଇଁ ତୁରନ୍ତ ଯଥାକ୍ରମେ ୭.୯୦ଲକ୍ଷ ଏବଂ ୧୯.୧୦ଲକ୍ଷ ଟଙ୍କା ମଗାଯାଇଛି। ଗଞ୍ଜାମ ଜିଲ୍ଲାରେ ୭.୪୪କୋଟିର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୬.୧୫କୋଟିର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଥିବାବେଳେ ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୧.୭୧ କୋଟି ଏବଂ ୧.୬୮କୋଟି ଟଙ୍କା ମଗାଯାଇଛି। ଭଦ୍ରକରେ ୧୧ଲକ୍ଷ ୫୦ହଜାର ଟଙ୍କାର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୨ଲକ୍ଷ ଟଙ୍କାର କ୍ବାର୍ଟର୍ସ ନଷ୍ଟ ହୋଇଛି। ସବୁ ଟଙ୍କା ତୁରନ୍ତ ଦେବାକୁ କୁହାଯାଇଛି। ବାଲେଶ୍ବରରେ ୪.୩୯କୋଟିର ସରକାରୀ କାର୍ଯ୍ୟାଳୟ ଏବଂ ୧.୩୫କୋଟି ମୂଲ୍ୟର କ୍ବାର୍ଟର୍ସ ନଷ୍ଟ ହୋଇଥିବାବେଳେ ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୧.୭୭କୋଟି ଏବଂ ୧.୩୫କୋଟି ଟଙ୍କା ମଗାଯାଇଛି। ରାଇରଙ୍ଗପୁରରେ ୮.୫୦ଲକ୍ଷର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ଏଥିପାଇଁ ୬ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି।

ଗୋଟିଏ ବାତ୍ୟାରେ ଦୁଇଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବାବେଳେ ୧୩ଜିଲ୍ଲାରେ ୫୬୨କୋଟିର ସରକାରୀ ନିର୍ମାଣ ନଷ୍ଟ ହେବା ଅତ୍ୟନ୍ତ ଚିନ୍ତାଜନକ ପାଲଟିଛି। ଏଥିପ୍ରତି ସରକାର ନଜର‌ ନଦେଲେ ପ୍ରତ୍ୟେକ ବାତ୍ୟାରେ ଏମିତି ଶହଶହ କୋଟିର କ୍ଷତି ହୋଇଚାଲିଥିବ। ସରକାରୀ କାର୍ଯ୍ୟାଳୟ ଏବଂ କ୍ବାର୍ଟର୍ସର ନିର୍ମାଣ ସମୟରେ ଏହାର ଦୀର୍ଘସ୍ଥାୟୀତା ଏବଂ ବାତ୍ୟା ପ୍ରତିରୋଧକତା ପ୍ରତି ଧ୍ୟାନ ଦେବାର ସମୟ ଆସିଛି।

ସମ୍ବନ୍ଧିତ ଖବର