ଭୁବନେଶ୍ବର : ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡ଼ିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରୁଛି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ। ୨୦୨୩-୨୪ ବର୍ଷରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୧୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନସୁଦ୍ଧା ବିଭାଗ ପକ୍ଷରୁ ୧୨୫୪ଟି ସେତୁ ନିର୍ମାଣ ସରିଛି। ଆଉ ୯ଶହ ସେତୁର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ।

Advertisment

ଆଜି ଗୀତ ଗୋବିନ୍ଦ ସନ୍ଦନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବଜେଟ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଘଡ଼େଇ କହିଲେ, ଗ୍ରାମାଞ୍ଚଳରେ ରହୁଥିବା ସମାଜର ଶେଷ ବ୍ୟକ୍ତିଙ୍କ ନିକଟରେ କିପରି ଗମନାଗମନ ସୁବିଧା ପହଞ୍ଚିପାରିବ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ଆର୍ଥିକବର୍ଷ ବଜେଟକୁ ୭୫ଶହ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ୨୦୧୯-୨୦ ବଜେଟ୍‌ ତୁଳନାରେ ୩୫.୫୭ ପ୍ରତିଶତ ଅଧିକ। ଭୂତଳ ଜଳ ପୁନରୁଦ୍ଧାର ଓ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭାଗ ୫୦କୋଟି ଟଙ୍କା ବ୍ୟୟରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରାଯିବ। ଏବେସୁଦ୍ଧା ୩୨ଟି ଆଡ଼ିବନ୍ଧ କାମ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରହିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ, ସ୍ଥାନାନ୍ତରିତ ରାସ୍ତାର ଉନ୍ନତିକରଣ, ଦୁର୍ଗମ ଅଞ୍ଚଳର ଯୋଗାଯୋଗବିହୀନ ଗ୍ରାମଗୁଡ଼ିକର ସଂଯୋଗୀକରଣ, ରାସ୍ତା ନ ଥିବା ଗ୍ରାମଗୁଡ଼ିକର ସଂଯୋଗୀକରଣ ଆଦି ପ୍ରମୁଖ ଯୋଜନାରେ ୬ହଜାର କି.ମି ରାସ୍ତା ନିର୍ମାଣ ପାଇଁ ୨୦୬୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୟ ସିଂହ କହିଥିଲେ, ରାଜ୍ୟ ସରକାର ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଉଛନ୍ତି। ୫୦ହଜାର କି.ମି ରାସ୍ତାକୁ ଖାଲଖମା ମୁକ୍ତ କରିବା ଓ ‌ଯାନବାହାନ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଚଳିତ ଆର୍ଥିକ ବର୍ଷରେ ୧୧୫୮.୭୯ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫ହଜାର କି.ମି ଅଧିକ। ଆସନ୍ତା ୫ବର୍ଷରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆନୁମାନିକ ୧୨ହଜାର କୋଟି ଟଙ୍କା ବିନିଯୋଗରେ ୧୫ହଜାର କି.ମି ଗ୍ରାମୀଣ ରାସ୍ତା ନିର୍ମାଣ ହେବ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥି‌ଲେ।