ରାଉରକେଲା/କୁଆରମୁଣ୍ଡା: ରାଉରକେଲା ସହର ଓ ବୀରମିତ୍ରପୁର ଥାନା ଅନ୍ତର୍ଗତ କଚାରୁ ଅଞ୍ଚଳର ଦୁଇଟି ବ୍ୟାଙ୍କ୍ରୁ ଆଜି ପୂର୍ବାହ୍ନରେ ୪୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ସଶସ୍ତ୍ର ଦୁର୍ବୃତ୍ତ ରାଉରକେଲା ମଧୁସୂଦନ ମାର୍ଗ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଭିତରୁ ୪୪ ଲକ୍ଷ ଟଙ୍କା ଓ କଚାରୁ ବ୍ୟାଙ୍କ୍ ଅଫ୍ ବରୋଦାକୁ ଯାଉଥିବା ୪ ଲକ୍ଷ ଟଙ୍କା ରାସ୍ତା ମଝିରୁ ନେଇଯାଇଛନ୍ତି। ରାଉରକେଲା ସହରର ଜନଗହଳିପୂର୍ଣ୍ଣ ମଧୁସୂଦନମାର୍ଗସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ରେ ୮ ଜଣ ଡକାୟତ ପଶି ଟଙ୍କା ଲୁଟ୍ କରିଛନ୍ତି। ଆଜି ପୂର୍ବାହ୍ନ ୯ଟା ୪୫ ମିନିଟ୍ ସମୟରେ ବ୍ୟାଙ୍କ ଗେଟ୍ ତାଲା ଖୋଲିଥିଲା। ବ୍ୟାଙ୍କର ଡେପୁଟି ମ୍ୟାନେଜର ଜୟନାରାୟଣ ସୋହଲା ଓ ବରିଷ୍ଠ ପ୍ରବନ୍ଧକ ବିଜୟ କୁମାର ଆଇନ୍ଦଙ୍କ ଉପସ୍ଥିତିରେ ତାଲା ଖୋଲା ଯିବା ପରେ ସୁଇପର ଜଗନ୍ନାଥ କୁର୍ମୀ ଘର ଭିତର ସଫେଇ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲ୍ମେଟ ପିନ୍ଧିଥିବା ବେଳେ ଅନ୍ୟମାନେ ମୁହଁ ଘୋଡାଇ ନ ଥିଲେ। ଦୁଇ ଜଣ ପିସ୍ତଲ୍ ଓ ଜଣେ ଷ୍ଟେନ୍ ଗନ୍ ଦେଖାଇ ୩ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ସମସ୍ତଙ୍କୁ ମାଡ଼ ମାରି ଷ୍ଟ୍ରଂଗ୍ ରୁମ୍ ଚାବି ମାଗିଥିଲେ। କେହି ନ ଶୁଣିବାରୁ ଜଣେ ଦୁର୍ବୃତ୍ତ ଜୟନାରାୟଣଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ପିସ୍ତଲ୍ ଲଗାଇ ଚାବି ମାଗିଥିଲେ। ଭୟରେ ସେ ଚାବି ଦେଇ ଦେଇଥିଲେ। ଏହାପରେ ୪୪ ଲକ୍ଷ ଟଙ୍କା ଲୁଟ୍ କରିନେଇଥିଲେ। ସେହିପରି ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ବୀରମିତ୍ରପୁର ଥାନା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କଚାରୁସ୍ଥିତ ବ୍ୟାଙ୍କ୍ ଅଫ୍ ବରୋଦା ଶାଖାକୁ ଯାଉଥିବା ୪ ଲକ୍ଷ ଟଙ୍କା ରାସ୍ତାରୁ ଲୁଟ୍ ହୋଇଛି। ବ୍ୟାଙ୍କ୍ର କ୍ୟାସିଅର୍ ପରବିନ ତିଗ୍ଗା ଓ ହିସାବରକ୍ଷକ ସୁଜିତ ବ୍ୟାଙ୍କର ରାଉରକେଲା ମୁଖ୍ୟ ଶାଖାରୁ ଟଙ୍କା ଧରି ଏକ ବାଇକ୍ରେ କଚାରୁ ଆସୁଥିଲେ। ତାଙ୍କ ପଛରେ ଅନ୍ୟ ଏକ ବାଇକ୍ରେ ବ୍ୟାଙ୍କର ଶାଖା ପ୍ରବନ୍ଧକ ଓ ଅନ୍ୟ ଜଣେ କର୍ମଚାରୀ ଆସୁଥିଲେ। ପସରା ଗ୍ରାମ ନିକଟରେ କୋଏଲ ନଦୀ ପାର୍ ହୋଇ ଯାଉଥିବା ବେଳେ ଏକ ଲାଲ୍ ରଙ୍ଗର ଆପାଚି ଗାଡ଼ି ସେମାନଙ୍କ ରାସ୍ତା ଅବରୋଧ କରିଥିଲା। ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଏକ ଦେଶୀ ପିସ୍ତଲ ବାହାର କରି ପରବିନଙ୍କ ମୁଣ୍ଡରେ ଲଗାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ମାଗିଥିଲେ। ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଦୁର୍ବୃତ୍ତମାନେ ଟାଙ୍ଗରାଣୀ ଆଡ଼କୁ ପଳାଇ ଯାଇଥିଲେ।
ପ୍ରାୟ ଘଣ୍ଟାଏ ମଧ୍ୟରେ ଉଭୟ ରାଉରକେଲା ଓ କଚାରୁରେ ଡକାୟତି ହୋଇଛି। ଦୁଇ ସ୍ଥାନ ମଧ୍ୟରେ ଦୂରତା ମାତ୍ର ୮ କିଲୋମିଟର ହେବ। ଗୋଟିଏ ଗୋଷ୍ଠୀ ଦୁଇ ଲୁଟ୍ ଯୋଜନା କରିବା ଅସମ୍ଭବ ନୁହେଁ। ରାଉରକେଲାରୁ ଲୁଟ୍ କରି ଏହି ରାସ୍ତା ଦେଇ ଝାଡ଼ଖଣ୍ଡ ରାଜ୍ୟକୁ ଖସିଯିବା ଅତି ସହଜ। ରାଉରକେଲା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲୁଟ୍ ବେଳେ ବ୍ୟାଙ୍କ ଭିତରକୁ ପ୍ରଥମେ ୩ ଜଣ ପ୍ରବେଶ କରିଥିଲେ। ଏହି ୩ ଜଣ ଏକ ବାଇକ୍ରେ ବ୍ୟାଙ୍କ ପାଖକୁ ଆସୁଥିବା ସ୍ଥାନୀୟ ଏକ ଦୋକାନୀର ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ତେଣୁ ଦୁଇ ଲୁଟ୍ରେ ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ପୁଲିସ ତଦନ୍ତଜାରି ରହିଛି।
୫୫ ନମ୍ବର ଜାତୀୟ ରାଜପଥରେ ରାହାଜାନି
ବଅଁରପାଳ: ୫୫ ନମ୍ବର ଜାତୀୟ ରାଜପଥରରେ ବଅଁରପାଳ ଥାନା ଯୋରାଗାଡ଼ିଆ ନିକଟରେ ଆଜି ଏକ କମ୍ପାନିର କର୍ମଚାରୀଙ୍କୁ ମାଡ଼ ମାରି ଲୁଟେରାମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇ ନାହିଁ। ଦିନ ବେଳେ ରାଜପଥରେ ଏପରି ଲୁଟ୍ ଘଟଣା ପୁଲିସ ପ୍ରତି ଖୋଲା ଚାଲେଞ୍ଜ ସଦୃଶ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଆଜି ଅନୁଗୁଳ କମଳା ସୁପରସେଲ୍ସ ଆଇଟିସି କମ୍ପାନିର ସାମଗ୍ରୀ ସୁପରଭାଇଜର ଦୁଷ୍ମନ୍ତ ପ୍ରଧାନ ବଅଁରପାଳ, ଭୂଷଣ ଅଞ୍ଚଳରେ ବିକ୍ରି କରି ୫ ଲକ୍ଷ ୪୭ ହଜାର ୮୬୩ ଟଙ୍କା ଆଦାୟ କରି ମିନି ଟ୍ରକ୍ରେ ଅନୁଗୁଳ ଫେରୁଥିଲେ। ଦିନ ସାଢ଼େ ଗୋଟାଏ ବେଳେ ଯୋରାଗାଡ଼ିଆ ଛକଠାରେ ପଛରୁ ୨ଟି ନମ୍ବର ବିହୀନ ବାଇକ୍ରେ ୪ଜଣ ଯୁବକ ଆସି ମିନି ଟ୍ରକ୍ ଅଟକାଇଥିଲେ। ପରେ ଯୁବକମାନେ ଦୁଷ୍ମନ୍ତଙ୍କୁ ମାଡ଼ମାରି ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଟ୍ରକ୍ରେ ଦୁଷ୍ମନ୍ତଙ୍କ ସହ ଡ୍ରାଇଭର ଲିଟୁନ ସାହୁ, ସୁମନ୍ତ ସାହୁ ଓ ରାକେଶ ପ୍ରଧାନ ବସିଥିଲେ। ଲୁଟେରାମାନେ ଟଙ୍କା ଲୁଟ୍ କରି ପଳାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକର ଟ୍ରେନ୍ ଟିକେଟ୍, ଏସ୍ବିଆଇ ବ୍ୟାଙ୍କ ଏଟିଏମ୍ କାର୍ଡ ଓ ଅନ୍ୟ କାଗଜପତ୍ର ତଳେ ପଡ଼ିିଯାଇଥିଲା। ଏହାକୁ ଥାନା ଜିମା ଦିଆଯାଇଛି। ଏ ସଂପର୍କରେ ଦୁଷ୍ମନ୍ତ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। ବଅଁରପାଳ ଥାନାଧିକାରୀ କନକ ମାଝି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ଲୁଟେରାମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯିବ ବୋଲି ଥାନାଧିକାରୀ କହିଛନ୍ତି। ଏ ସଂପର୍କରେ ଥାନାରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/RKL-BANK-DOCAIT-AT-IOB-4.jpg)