ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ସମୟରେ ପ୍ରତିବର୍ଷ ଭିତ୍ତିଭୂମି ଅଭାବରୁ ବହୁ ସମସ୍ୟା ଦେଖାଦେଉଛି। ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଚାଷୀମାନେ ଖୋଲା ଆକାଶ ତଳେ ପ୍ରତି ବର୍ଷ ଧାନ ବିକ୍ରି କରୁଥିବା ଦେଖାଯାଉଛି। ପୁଣି ବିଭିନ୍ନ ସ୍ଥାନରେ ମଣ୍ଡି ମଧ୍ୟ ନଥିବାରୁ କେଉଁଠି ରାସ୍ତା କଡ଼ରେ ତ ଆଉ କେଉଁଠି ଖେଳ ପଡ଼ିଆରେ ଧାନ ସଂଗ୍ରହ କରାଯାଉଛି। ବର୍ଷ ବର୍ଷ ଧରି ଏଭଳି ଚାଲି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଡ଼ୋଶୀ ଜିଲ୍ଲା ବରଗଡ଼ରେ ଚାଷୀଙ୍କ ପାଇଁ ସ୍ଥାୟୀ ମଣ୍ଡିର ବ୍ୟବସ୍ଥା ରହିଥିବା ବେଳେ ନୂଆପଡ଼ା ଜିଲ୍ଲାରେ ପ୍ରଶାସନର ଅବହେଳା ହେତୁ ଆଜି ବି ଚାଷୀଙ୍କ ପାଇଁ ମଣ୍ଡିର ବ୍ୟବସ୍ଥା ହୋଇପାରି ନାହିଁ। ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା କରିବାକୁ ପ୍ରତିବର୍ଷ ଚାଷୀ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୧୦ଟି ସ୍ଥାୟୀ ମଣ୍ଡିର ବ୍ୟବସ୍ଥା କରାଯାଇଛି। ୫୩ଟି  ମଣ୍ଡିର ଆଜି ପର୍ଯ୍ୟନ୍ତ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଖରିଫ ଓ ରବି ଧାନ ସଂଗ୍ରହ ସମୟରେ ବର୍ଷା ହେଲେ ଚାଷୀଙ୍କ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଆର୍‌ଏମ୍‌ସି ବିଭାଗରେ ୧୯ କୋଟିରୁ ଅଧିକ ଟଙ୍କା ରହିଛି। ହେଲେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ମଣ୍ଡିର ବ୍ୟବସ୍ଥା ହୋଇପାରି ନାହିଁ।

Advertisment

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାରେ ୨୬ଟି ପେକ୍ସରେ ୬୩ଟି ମଣ୍ଡି ରହିଛି। ଜିଲ୍ଲାର ନିଲଜୀ, ପରକୋଡ଼, ଲାଞ୍ଜି, ନୂଆପଡ଼ା, ବୋଡ଼େନ, ଖରିଆର ରୋଡ଼, କାଣ୍ଡେତରା ସହ ୧୦ଟି ମଣ୍ଡି ସ୍ଥାୟୀ ରହିଥିବା ବେଳେ ଅନ୍ୟ ୫୩ଟି ମଣ୍ଡି ନଥିବାରୁ ରାସ୍ତାକଡ଼ରେ, ଚାଷ ଜମି ଓ ଖେଳ ପଡ଼ିଆରେ ଧାନ ସଂଗ୍ରହ କରାଯାଉଛି। ଗତବର୍ଷ ସିନାପାଲି ବ୍ଲକରେ ବିଜୁ ଏକ୍ସପ୍ରେସ୍‌ ୱେ ଠାରେ ପ୍ରଶାସନ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରାଯାଇଥିଲା। ଫଳରେ ଦୁର୍ଘଟଣାର ସର୍ବଦା ଆଶଙ୍କା ରହିଥିଲା। ତେବେ ଆବଶ୍ୟକ ମଣ୍ଡି ନଥିବାରୁ ଚାଷୀ ଧାନ ବିକ୍ରି ସମୟରେ ବହୁ ଅସୁବିଧା ଭୋଗୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ନୂଆପଡ଼ା ଆର୍‌ଏମ୍‌ସି ସଂପାଦକ ବିବେକାନନ୍ଦ ମହାନନ୍ଦଙ୍କୁ ପଚାରିବାରୁ ଜିଲ୍ଲାରେ ୧୦ଟି ମଣ୍ଡିର ଭିତ୍ତିଭୂମି ରହିଥିବା ବେଳେ ୫୩ଟି ମଣ୍ଡି ନାହିଁ। ଯାହାଫଳରେ ଖରିଫ ଓ ରବି ଧାନ ସଂଗ୍ରହରେ ଜିଲ୍ଲାର ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪୨ଟି ମଣ୍ଡିର ଭିତ୍ତିଭୂମିର ବିକାଶ ପାଇଁ ୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାର୍ଯ୍ୟ ମଧ୍ୟ ଜାରି ରହିଛି। ଅନ୍ୟ ସ୍ଥାନରେ ମଧ୍ୟ ଜାଗା ଚିହ୍ନଟ କରାଯାଇ କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି।