କଟକ: ଖରିଫ ଧାନ ପଂଜୀକରଣର ପ୍ରାଥମିକ ଯାଞ୍ଚ ପରେ ରାଜ୍ୟ ସରକାର ୫୩୬୪ ଜଣ ନକଲି ଚାଷୀ ଚିହ୍ନଟ କରିଛନ୍ତି। ଯେହେତୁ ଏହା ପରେ ସାଟେଲାଇଟ୍ ସର୍ଭେ ହେବ, ଏଣୁ ନକଲି ଚାଷୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି। ଆଦୌ ଚାଷ ଜମି ନଥାଇ ଅଥବା ଅନ୍ୟର ଜମିକୁ ନିଜର ବୋଲି ଦର୍ଶାଇ ଏମାନେ ପଂଜୀକରଣ କରିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ସବୁଠାରୁ ଉଦ୍‌ବେଗଜନକ ରହିଛି ମାଲକାନଗିରି ଜିଲ୍ଲାରେ। ଏଠାରେ ଧାନ ବିକ୍ରି ପାଇଁ ୪୧ ହଜାର ୫୭୭ଜଣ ଚାଷୀ ଭାବେ ନାମ ପଞ୍ଜୀକରଣ କରିଥିବାବେଳେ ଯାଞ୍ଚ ବେଳେ ସେଥିରୁ ୧୯୪୨ ନକଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି।

Advertisment

ରାଜ୍ୟରେ ଖରିଫ୍‌ ଋତୁରେ ଧାନ ବିକ୍ରି ପାଇଁ ମୋଟ ୧୭ ଲକ୍ଷ ୭୧ ହଜାର ୩୭୪ ଜଣ ପଞ୍ଜୀକରଣ କରିଥିଲେ। ପ୍ରାଥମିକ ଯାଞ୍ଚ ପରେ ସେଥିରୁ ୧୭ ଲକ୍ଷ ୫୬ ହଜାର ୮୬୩ ଜଣ ଚାଷୀ ଯୋଗ୍ୟ ବୋଲି ତାଲିକା ପ୍ରକାଶ ପାଇଛି। କୃଷି, ରାଜସ୍ବ ଓ ସମବାୟ ବିଭାଗ ପକ୍ଷରୁ ମିଳିତଭାବେ କ୍ଷେତ୍ର ପରିଦର୍ଶନ ସହ ଯାଞ୍ଚ କରାଯିବା ପରେ ଏହି ତଥ୍ୟ ସାମନାକୁ ଆସିଛି। ୨୦୨୩-୨୪ ଖରିଫ୍ ଋତୁରେ ଧାନ ବିକିବାକୁ ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀମାନେ ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଅନ୍‌ଲାଇନ୍‌ ପଂଜୀକରଣ କରିଥିଲେ। ଗଲା ଏକ ମାସରୁ ଅଧିକ ସମୟ ଧରି ଏହାର ଯାଞ୍ଚ କରାଯାଇଥିଲା। ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନକୁ ଯାଞ୍ଚ କରିବାକୁ ଡେପୁଟି ରେଜିଷ୍ଟ୍ରାର୍ କୋ-ଅପରେଟିଭ୍ ସୋସାଇଟି(ଡିଆର୍‌ସିଏସ୍) ଏବଂ ଆସିଷ୍ଟାଣ୍ଟ୍‌ ରେଜିଷ୍ଟ୍ରାର୍ କୋ-ଅପରେଟିଭ୍ ସୋସାଇଟି (ଏଆର୍‌ସିଏସ୍)କୁ ପଠାଯାଇଥିଲା। ତଥ୍ୟ ଅନୁଯାୟୀ, ରାଜ୍ୟରେ ସର୍ବାଧିକ ଚାଷୀ ବରଗଡ଼ ଜିଲ୍ଲାରୁ ପଞ୍ଜୀକରଣ କରିଛନ୍ତି। ୧ ଲକ୍ଷ ୫୧ ହଜାର ୯୬୩ ଜଣ ଚାଷୀ ବରଗଡ଼ରେ ପଞ୍ଜୀକରଣ କରିଥିବାବେଳେ ସେଥିରୁ ୫୨୭ଜଣ ନକଲି ଧରା ପଡିଛନ୍ତି। ସେହିପରି ଗଞ୍ଜାମରେ ୧ଲକ୍ଷ ୪୬ହଜାର ୫୪୧ ଜଣ ଚାଷୀ ପଂଜୀକରଣ କରିଛନ୍ତି ଓ ୧୦୨ଜଣ ନକଲି ଧରା ପଡିଛନ୍ତି।

ଅନୁଗୁଳରେ ୨୬ଜଣ, ବାଲେଶ୍ବରରେ ୭୫, ବରଗଡରେ ୫୨୭, ଭଦ୍ରକରେ ୧୧, ବଲାଙ୍ଗୀରରେ ୧୪୯, ବୌଦ୍ଧରେ ୪୦, କଟକରେ ୫୧, ଦେବଗଡରେ ୪୫, ଢେଙ୍କାନାଳରେ ୮୨, ଗଜପତିରେ ୨୫, ଗଞ୍ଜାମରେ ୧୦୨, ଜଗତ୍‌ସିଂହପୁରରେ ୧୯, ଯାଜପୁରରେ ୩୨, ଝାରସୁଗୁଡାରେ ୬୭, କଳାହାଣ୍ଡିରେ ୧୩୮, କନ୍ଧମାଳରେ ୧୭, କେନ୍ଦ୍ରାପଡାରେ ୧୪, କେନ୍ଦୁଝରରେ ୫୧, ଖୋର୍ଦ୍ଧାରେ ୧୦, କୋରାପୁଟରେ ୪୩୭, ମୟୁରଭଞ୍ଜରେ ୨୪, ନବରଙ୍ଗପୁରରେ ୩୯୨, ନୟାଗଡ଼ରେ ୯୫, ନୂଆପଡ଼ାରେ ୬୧, ପୁରୀରେ ୨୨, ରାୟଗଡାରେ ୬୫୭, ସମ୍ବଲପୁରରେ ୧୪୩, ସୁବର୍ଣ୍ଣପୁରରେ ୬୪, ସୁନ୍ଦରଗଡ଼ରେ ୪୬ଜଣ ନକଲି ଚାଷୀ ଚିହ୍ନଟ ହୋଇଛନ୍ତି। ୧୬୪୪ଜଣ ଚାଷୀଙ୍କ ଯାଞ୍ଚ ବିଭିନ୍ନ କାରଣରୁ ଶେଷ ହୋଇ ପାରି ନାହିଁ। ୧୫୯ଟି ଆବେଦନକୁ ବ୍ଲକ୍‌ କରିଦିଆଯାଇଥିବା ବେଳେ ୧୭୩ଟି ଫର୍ମକୁ ଡିଆରସିଏସ୍‌/ଏଆରସିଏସ୍‌ଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି।