ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ୩ଟି ସମବାୟ ସମିତିରେ ଚଳିତ ବର୍ଷ ୩୪୧୭ଜଣ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଧାନ ବିକ୍ରି କରିଛନ୍ତି। ୫୩୯ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହୋଇଛି।
ଧାନ ବିକ୍ରିର ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ଟଙ୍କା ଜମା ହେବ ବୋଲି ସରକାରୀ ନିୟମ ରହିଛି। କିନ୍ତୁ ତୃଣମୂଳ ସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଚାଷୀମାନେ ଝିଅ ବାହାଘର, ପିଲାଙ୍କ ଉଚ୍ଚଶିକ୍ଷା ଏବଂ ଋଣ ପରିଶୋଧ କରିବାକୁ ବ୍ୟସ୍ତ ହେଉଛନ୍ତି। କିନ୍ତୁ ଧାନ ବିକ୍ରି କରିବାର ମାସେ ପରେ ମଧ୍ୟ ଚାଷୀଙ୍କୁ ପାଉଣା ମିଳିନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଳିଆହତା ଲ୍ୟାମ୍ପସ୍ ଅଧୀନ ରାଇସୁଆଁ ବିକ୍ରୟ କେନ୍ଦ୍ରରେ ରାଣୀବେଡ଼ା ଗ୍ରାମର ପବିତ୍ର ନାୟକ ୧୪ ତାରିଖରେ ୩୧ କୁଇଣ୍ଟାଲ ୭୯ କେଜି ଧାନ ବିକ୍ରି କରିଥିଲେ। ଏ ବାବଦକୁ ୬୪ ହଜାର ୮୫୧ ଟଙ୍କା ଆଜି ପର୍ଯ୍ୟନ୍ତ ପାଇନାହାନ୍ତି। ଶିରିଗିଡ଼ା ବିକ୍ରୟ କେନ୍ଦ୍ରରେ ବିମଳା ପଞ୍ଚାୟତ ନମକାନି ଗ୍ରାମର ଚାଷୀ ପ୍ରମୋଦ କୁମାର ନାୟକ ୨୦ ତାରିଖରେ ୬୧ କୁଇଣ୍ଟାଲ ୯୦ କେଜି ଧାନ ବିକ୍ରି କରିଥିଲେ। ଏ ବାବଦକୁ ସେ ୧ ଲକ୍ଷ ୨୬ ହଜାର ୨୭୬ ଟଙ୍କା ପାଇନାହାନ୍ତି।
ତେଲକୋଇ ସମବାୟ ସମିତିରେ ୧୬୧୦ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ୮ଶହ ଚାଷୀ ଧାନ ବିକ୍ରି କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦୯ଜଣ ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ଶିରିଗିଡ଼ା ସମିତିରେ ୧୦୦୭ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଅଦ୍ୟାବଧି ୫୩୫ଜଣ ଧାନ ବିକ୍ରି କରିଥିବା ବେଳେ ୨୨୩ଜଣ ଚାଷୀ ଧାନ ବିକ୍ରି ଟଙ୍କା ପାଇନାହାନ୍ତି। କାଳିଆହତାରେ ୮୦୦ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏଯାଏ ୫୯୭ଜଣ ଧାନ ବିକ୍ରି କରିଛନ୍ତି। ୧୦୭ଜଣ ଚାଷୀ ପ୍ରାପ୍ୟ ପାଇନାହାନ୍ତି। ଚଳିତ ମାସ ୧୧ ତାରିଖରୁ ଧାନ ବିକ୍ରି କରିଥିବା ଚାଷୀ ପ୍ରାପ୍ୟ ପାଇନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ, ସମବାୟ ସମିତିର ସମ୍ପାଦକମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ତୁରନ୍ତ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ପ୍ରଦାନ କରାନଗଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/20-22.jpg)