କୋରାପୁଟ : ଗତ କିଛିଦିନର ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି। ଶୁକ୍ରବାର ଭୋର୍‌ରୁ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ କିଛିସମୟ ପାଇଁ ପାଗ କୋହଲା ରହିଥିଲା। ଏହିସମୟରେ କୋରାପୁଟ ଜିଲ୍ଲାରେ ୭ ମିନିଟ୍‌ ମଧ୍ୟରେ ୫୩୯୫ ବଜ୍ରପାତ ହୋଇଥିବା କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍‌ରୁ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା, କୋରାପୁଟ, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୫୩୯୫ଥର ବଜ୍ରପାତ ହୋଇଥିଲା। ଏହା କେତେ ଘାତକ, ସେନେଇ ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆସନ୍ତା ତିନିଦିନ ପାଇଁ ଭୀଷଣ ବଜ୍ରପାତ ହେବାନେଇ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ।

ଉଲ୍ଲେଖଯୋଗ୍ୟ ଯେ ଗତ ୬ ତାରିଖରେ କୋରାପୁଟ ଜିଲ୍ଲାରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୩୭୬୨ଥର ବଜ୍ରପାତ ହୋଇଥିବା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ହୋଇଥିଲା। ପୂର୍ବରୁ ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫୦୦୦ରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ରହିଥିଲା। ଆଜି କୋରାପୁଟ ଜିଲ୍ଲାରେ ହୋଇଥିବା ବଜ୍ରପାତ ଏହି ରେକର୍ଡକୁ ଟପିଛି।