କାଲିଫର୍ଣ୍ଣିଆ/ଭୁବନେଶ୍ୱର : ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ (ଓସା) ପକ୍ଷରୁ ଏହାର ୫୩ତମ ସମ୍ମିଳନୀ ଆୟୋଜିତ ହୋଇଛି। ଆମେରିକାର କାଲିଫର୍ଣ୍ଣିଆ, ସାକ୍ରାମେଣ୍ଟୋଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚଶିକ୍ଷାର ଧାରାକୁ ଆଉ ଏକ ଉଚ୍ଚତାକୁ ନେବା ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଏଥିରେ ଯୋଗଦେଇ ଓସାର ସଦସ୍ୟମାନେ କିଭଳି ମୋ କଲେଜ ଅଭିଯାନର ଏକ ଅଂଶ ହୋଇପାରିବେ, ସେ ବିଷୟରେ କହିଥିଲେ। ବିଧାୟକ ଅରୁଣ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ କହିଥିଲେ, ‘ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ଏବେ ଏକ ନୂଆ ଦିଗକୁ ଯାଉଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ କଲେଜ ସହ ଯୋଡ଼ି ଏହି ଧାରାକୁ ଆଉ ଏକ ସୋପାନକୁ ନେବାରେ ଏକ ଅଭିନବ ପ୍ଲାଟଫର୍ମ ସାଜିଛି ‘ମୋ କଲେଜ’ ଅଭିଯାନ। ତେଣୁ ଆମେରିକା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନେ ଏହି ଅଭିଯାନ ସହ ଯୋଡ଼ି ହୁଅନ୍ତୁ।
ଏହି କାର୍ଯ୍ୟକ୍ରମରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ କିଶୋର କୁମାର ବାସା, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ, ସମ୍ବଲପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ମହାଦେବ ଜୈସୱାଲ, ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ବେହେରା, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ଡକ୍ଟର ଅଜୟ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟରେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର (ୟୁସି, ଡେଭିସ୍) ପ୍ରଫେସର ପ୍ରଶାନ୍ତ ମହାପାତ୍ର, ନିୟୁ ଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲଜି (ଏନଜେଆଇଟି)ର ପ୍ରଫେସର ଦୁର୍ଗା ମିଶ୍ର, ଟଫ୍ଟସ୍ ୟୁନିଭର୍ସିଟିର ପ୍ରଫେସର୍ ଅବନୀ ପାତ୍ର ଏବଂ ଗୁଗଲର ପ୍ରଣବ ଖଇତାନ୍ ସାମିଲ ହୋଇଥିଲେ। ଏଥିରେ ଓଡ଼ିଶାର ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିଭଳି ସୁଯୋଗ ରହିଛି, ସେ ବିଷୟରେ ଆଲୋଚନା ହୋଇଥିଲା। ଡ. ସୁକାନ୍ତ ମହାପାତ୍ର ଏହାର ସଂଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଓସାର ସଦସ୍ୟମାନଙ୍କ ମଧ୍ୟରେ ଏନ୍.ଜେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର୍ ଦୁର୍ଗା ମିଶ୍ର, ଅଜୟ ମହାନ୍ତି, ଆମେରିକାର ଏୟାରଫୋର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଅନିଲ ପଟ୍ଟନାୟକ, ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର୍ ଚିତ୍ତ ବରାଳ, ଟଫ୍ଟସ୍ ୟୁନିଭର୍ସିଟିର ପ୍ରଫେସର ଅବନୀ ପାତ୍ର, ଜନ୍ସ ହପକିନ୍ସ ୟୁନିଭର୍ସିଟିର ମନୋଜ ମିଶ୍ର, ଲୋଓ୍ଵା ଷ୍ଟେଟ୍ ୟୁନିଭିର୍ସିଟିର ପ୍ରଫେସର୍ ମନ୍ଜିତ ମିଶ୍ର, ଭିଷୟ ସିଲିକୋନିକ୍ସର ଦେବନାରାୟଣ ପଟ୍ଟନାୟକ ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଡେଭିସ୍ର ପ୍ରଫେସର୍ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।