ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଓ ଏହା ଅଧୀନରେ ରହିଥିବା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ସାନଖେମୁଣ୍ଡି, ସୋରଡ଼ା ଓ ହିଂଜିଳି ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ଆସିକା ଲୋକସଭା କ୍ଷେତ୍ରରେ ୫୪.୫୫ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ଏହା ସହ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଛି।
ଭୋଟ୍ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ବୁଥ୍ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ତଥା ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏପରିକି ଭଞ୍ଜନଗର ବ୍ଲକ୍ ତୁରୁମୁ ପଞ୍ଚାୟତ ବେରୁହାଁବାଡ଼ି ମତଦାନ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିଲେ। ଫଳରେ ମତଦାନ କିଛି ସମୟ ବନ୍ଦ ରହିଥିଲା। ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ପୁଣିଥରେ ମତଦାନ ଆରମ୍ଭ ହୋଇଥିଲା। ସାନଖେମୁଣ୍ଡି ବ୍ଲକ୍ର ଗୁଡ଼ିଆପାଟଣା ଗ୍ରାମରେ ଲୋକେ ‘ପାଣି ନାହିଁ ତ ଭୋଟ୍ ନାହିଁ’ ନାରା ଦେଇଥିଲେ। ବହୁ ମହିଳା ହାଣ୍ଡି, ମାଠିଆ ଧରି ରାସ୍ତାରୋକ କରି ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତର ଗମ୍ଭାରୀଗୁଡ଼ାର ଏକ ବୁଥ୍ ବାହାରେ କିଛି ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ସେମାନେ ଭୋଟର୍ଙ୍କୁ ପ୍ରଭାବିତ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମାପ୍ତ ହୋଇଛି। ଗତ ୧୫ରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ପରେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ସକାଳ ୭ଟାରୁ ବିଭିନ୍ନ ବୁଥ୍ରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା। ସୁରକ୍ଷା ବ୍ୟବସ୍ଥାରେ ପୁଲିସ ସହିତ ସିଏପିଏଫ୍ ନିୟୋଜିତ ରହିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ବୁଥ୍ରେ ଶାନ୍ତିଶୃ୍ଙ୍ଖଳା ରକ୍ଷା ପାଇଁ ପୁଲିସ ମୋବାଇଲ୍ ପାର୍ଟିଙ୍କୁ ନିୟୋଜିତ କରାଯାଇଥିଲା। କନ୍ଧମାଳ ଲୋକସଭା ଅଧୀନରେ ଥିବା ଭଞ୍ଜନଗର ନିର୍ବାଚନମଣ୍ଡଳୀ ସୁରକ୍ଷା ଦାୟିତ୍ବରେ ଗଜପତି ଏସ୍ପି ସ୍ବାତୀ ଏସ୍. କୁମାର ରହିଥିଲେ। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଛି। ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କେବଳ ଭଞ୍ଜନଗର ଓ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର କିଛି ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଇଥିଲା। ଆସିକା, ସୋରଡ଼ା, ହିଂଜିଳି, କବିସୂର୍ଯ୍ୟନଗର ଓ ପୋଲସରା ନିର୍ବାଚନମଣ୍ଡଳୀରେ ପ୍ରାୟ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଏଡିଜି ଆର୍କେ ଶର୍ମା ଛତ୍ରପୁରରେ ରହି ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସେଭଳି କୌଣସି ବଡ଼ଧରଣର ଗଣ୍ଡଗୋଳ କି ଉତ୍ତେଜନା ଦେଖା ଦେଇନାହିଁ।
ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା ଆସିକା ସଂସଦୀୟ କ୍ଷେତ୍ରରେ ହାରାହାରି ୫୪.୫୫ ପ୍ରତିଶତ ମତଦାନ ସଂଗ୍ରହ ହୋଇଛି। ସେହିପରି ହିଂଜିଳି ବିଧାନସଭାରେ ୫୭.୨୧ ପ୍ରତିଶତ ମତଦାନ ସଂଗ୍ରହ ହୋଇଥିବା ବେଳେ ସାନଖେମୁଣ୍ଡିରେ ୫୭.୩୯, ସୋରଡ଼ାରେ ୪୭.୮୦, ଆସିକାରେ ୫୩.୧୬, ଖଲ୍ଲିକୋଟରେ ୫୬.୨୩, କବିସୂର୍ଯ୍ୟନଗରରେ ୫୬.୬୬, ପୋଲସରାରେ ୫୮.୬୬ ପ୍ରତିଶତ ମତଦାନ ସଂଗ୍ରହ ହୋଇଥିବା ବେଳେ ଭଞ୍ଜନଗରରେ ୪୯.୧୦ ପ୍ରତିଶତ ମତଦାନ ସଂଗ୍ରହ ହୋଇଥିବା ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hshfhhfsfhsfh.jpg)