ଯାଜପୁରସଦର: ପେଟିଏମ୍ ସ୍ୱାଇପ୍ ମେସିନ ଲଗାଇ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନରୁ ୫୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ଯାଜପୁର କ୍ରିଷ୍ଣା ଜୁଏଲାରି, କୁଆଖିଆ ଥାନା ଅଧୀନ ପୃଷ୍ଟି ଜୁଏଲାରି ଓ ପାତ୍ର ଜୁଏଲାରି ଏଭଳି ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ ଯାଜପୁର ଟାଉନ ପୁଲିସ ମୋଟ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯାଜପୁର ଟାଉନ ପୁଲିସ କ୍ରିଷ୍ଣା ଜୁଏଲାରି ଲୁଟ୍ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ କୁଆଖିଆ ପୁଲିସ ନିଜ ଅଞ୍ଚଳର ୨ଟି ଅନୁରୂପ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଗିରଫ ଅଭିଯୁକ୍ତମାନେ ହେଲେ ସୁଜନ ଇନ୍ଫୋଟେକ ମାଲିକ ମାଳତୀ ନାୟକ ଓ ତାଙ୍କ ସ୍ୱାମୀ ସୁନୀଲ ନାୟକ ଏବଂ ଟାଙ୍ଗୀର ସଂଜୀବ କୁମାର ଦାସ, ନୀଳକଣ୍ଠପୁରର ପ୍ରମୋଦ ଜେନା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ମିଲନ କୁମାର ସିଂ। ମୁଖ୍ୟ ଅଭିଯୁକ୍ତ ସୁନୀଲ ନାୟକ ଓ ମାଳତୀଙ୍କ ନିକଟରୁ ଯାଜପୁର ପୁଲିସ ୨୭ଟି ବ୍ୟାଙ୍କ ଚେକ୍ ବୁକ୍, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୬ଟି ମୋବାଇଲ, ଗୋଟିଏ ଲାପ୍ଟପ୍, ୨୧ଟି ବ୍ୟାଙ୍କ ପାସ୍ ବହି, ୪୬ଟି ସିମ୍ କାର୍ଡ, ୩ ଟି ପେଟିଏମ୍ ସ୍ୱାଇପ୍ ମେସିନ ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ ହୋଇଛି।
ଯାଜପୁର ଥାନା ପରିସରରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଥାନାଧିକାରୀ ଅଜୟ କୁମାର ଜେନା ଏ ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି। ୨୪ଲକ୍ଷ ୩୭ହଜାର ୪୩୨ ଟଙ୍କା ଲୁଟ୍ ସଂକ୍ରାନ୍ତ ମାମଲା ଯାଜପୁର ଥାନାରେ ରୁଜୁ ହୋଇଥିବାବେଳେ ଆଉ ଗୋଟିଏ ଅଭିଯୋଗ ମଧ୍ୟ ଆସିଛି, ଯାହାର ତଦନ୍ତ ଚାଲିଛି। ସେହିପରି ପୃଷ୍ଟି ଜୁଏଲାରି ଓ ପାତ୍ର ଜୁଏଲାରି ଦୋକାନରୁ ୨୭ଲକ୍ଷ ଓ ୭ ଲକ୍ଷ ଲୁଟ୍ କରାଯାଇଥିବା ସଂକ୍ରାନ୍ତ ଅଭିଯୋଗ କୁଆଖିଆ ଥାନାରେ ହୋଇଛି। ଉଭୟ ଥାନା ମାମଲାରେ ଏହି ସମସ୍ତ ଅଭିଯୁକ୍ତ ସାମିଲ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ପୂର୍ବରୁ ଯାଜପୁର ଥାନା ସୁଜନ ଇନ୍ଫୋଟେକ୍ର ମାଲିକ ମାଳତୀ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।
ଯାଜପୁର ମାର୍କେଟ୍ ଛକରେ ଥିବା କ୍ରିଷ୍ଣା ଜୁଏଲାରି ଦୋକାନରେ ଭୁବନେଶ୍ୱର ଅଞ୍ଚଳର ସୁଜନ ଇନ୍ଫୋଟେକ୍ ନାମକ ଏକ ସଂସ୍ଥା ପେଟିଏମ୍ ସ୍ୱାଇପ୍ ମେସିନ ଲଗାଇଥିଲା। ଯାଜପୁର ସଦର ଥାନା ନୀଳକଣ୍ଠପୁର କାକୁଡ଼ିକୁଦ ଗ୍ରାମର ପ୍ରମୋଦ ଜେନା କ୍ରିଷ୍ଣା ଜୁଏଲାରିରେ ମେସିନ ଲଗାଇଥିଲେ ଏବଂ ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଓ ନେଣଦେଣରେ ସୁବିଧା ପାଇଁ ମାଲିକ ବଟକୃଷ୍ଣ ସାହୁ ସ୍ୱାଇପ୍ ମେସିନ ଲଗାଇଥିଲେ। କିନ୍ତୁ ଏହି ମେସିନରେ ଗ୍ରାହକ ସ୍ୱାଇପ୍ କରି ଅର୍ଥ ପୈଠ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୋକାନ ଖାତାକୁ ସେହି ଅର୍ଥ ଆସିନଥିଲା। ୨୪ ଘଣ୍ଟା ଭିତରେ ଦୋକାନୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପୈଠ ହେବାର ନିୟମ ଥିଲେ ମଧ୍ୟ ସୁଜନ ଇନ୍ଫୋଟେକ୍ ଲଗାଇଥିବା ସ୍ୱାଇପ୍ ମେସିନରେ ଏହାର ବ୍ୟତିକ୍ରମ ଦେଖାଦେଇଥିଲା। ଜୁନ ୨୦ ତାରିଖରୁ ଜୁନ ୨୬ ତାରିଖ ମଧ୍ୟରେ ପାଖାପାଖି ୨୪ଲକ୍ଷ ୩୭ହଜାର ୪୩୨ ଟଙ୍କା ଏହି ସ୍ୱାଇପ୍ ମେସିନ ମାଧ୍ୟମରେ ଗ୍ରାହକ ଟଙ୍କା ପୈଠ କରିଥିଲେ। ଏଥିରୁ ଟଙ୍କାଟିଏ ବି ଦୋକାନୀଙ୍କ ଖାତାକୁ ଆସିନଥିଲା। କିନ୍ତୁ ଗ୍ରାହକଙ୍କ ଖାତାରୁ ଟଙ୍କା କଟି ରସିଦ ପାଉଥିଲେ।
ଏଭଳି ବିଭ୍ରାଟ ଦେଖି ଦୋକାନୀ ସଂପୃକ୍ତ ସଂସ୍ଥାକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ। ଶେଷେରେ କ୍ରିଷ୍ଣା ଜୁଏଲାରି ମାଲିକ ବଟକୃଷ୍ଣ ସାହୁ ଗତ ଜୁଲାଇ ୧୨ ତାରିଖରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ମାମଲା ରୁଜୁ କରି ଥାନାଧିକାରୀ ଅଜୟ କୁମାର ଜେନା ତଦନ୍ତ ଆରମ୍ଭ କରିଥିଲେ।
ଯାଜପୁର ଏସ୍ଡିପିଓ ସରୋଜ ଉପାଧ୍ୟାୟ, ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନିର୍ଦେଶକ୍ରମେ ଯାଜପୁର ଥାନା ଏସଆଇ ଦିଲୀପ କୁମାର କାଣ୍ଡି, ଏଏସଆଇ ଜିତେନ୍ଦ୍ର ନାୟକ, କନେଷ୍ଟବଳ ସତ୍ୟରଞ୍ଜନ ଦଳେଇ, ପ୍ରମୋଦ ଭଞ୍ଜ, ଜୟନ୍ତ କୁମାର ପରିଡ଼ା, ମହେଶ୍ୱର ସ୍ୱାଇଁ ପ୍ରମୁଖ ବିଭିନ୍ନ ସମୟରେ ଭୁବନେଶ୍ୱରରେ ଚଢ଼ଉ କରି ସଞ୍ଜୀବ କୁମାର ଦାସ, ପ୍ରମୋଦ କୁମାର ଜେନା, ମିଲନ କୁମାର ସିଂହଙ୍କୁ ଗିରଫ କରି ଥାନାକୁ ଆଣିଥିଲେ।