ଭୁବନେଶ୍ବର: ବିଏମ୍ସି ଇଞ୍ଜିନିୟରିଂ ଉପବିଭାଗରେ ୫୪କୋଟି ଟଙ୍କାର ହିସାବ ନ ମିଳିବା ଘଟଣାରେ ତନାଘନା କରୁଛି ଇଓଡବ୍ଲ୍ୟୁ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ତଦନ୍ତର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଲୋକାୟୁକ୍ତରେ ଦାଖଲ ହୋଇଥିବା ଏହି ପ୍ରାଥମିକ ରିପୋର୍ଟରେ ୪ ଜଣ ଅଧିକାରୀଙ୍କୁ ଦାୟୀ କରିଛି କ୍ରାଇମ୍ବ୍ରାଞ୍ଚ। ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି କ୍ରାଇମ୍ବ୍ରାଞ୍ଚ ସୁପାରିସ କରିଛି। ଆସନ୍ତା ମାସ(ଫେବ୍ରୁଆରି) ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି। କ୍ରାଇମ୍ବ୍ରାଞ୍ଚର ସୁପାରିସ ଗ୍ରହଣୀୟ ହେଲେ ବା ଲୋକାୟୁକ୍ତ ଦେଇଥିବା ନିର୍ଦ୍ଦେଶ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି। ପରେ ଆଉ କେତେକ ଅଧିକାରୀ ମଧ୍ୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅନ୍ୟପଟେ ଅଡିଟ୍ ଟିମ୍କୁ ବିଏମ୍ସି ଭାଉଚର ଦେଇନଥିବାରୁ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା। ଏକ ସ୍ବତନ୍ତ୍ର ଅଡିଟ୍ ଜରିଆରେ ରିପୋର୍ଟ ପ୍ରସ୍ତୁତ କରି ଲୋକାୟୁକ୍ତରେ ଦାଖଲ କରିବାକୁ ବିଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବିଏମ୍ସି ଭାଉଚର ଖୋଜିବାକୁ ଲୋକାୟୁକ୍ତଙ୍କୁ ସମୟ ମାଗିଥିଲା। ସ୍ବତନ୍ତ୍ର ଅଡିଟ୍ କରିନଥିଲା। ଏଭଳି ବର୍ଷେ ମାମଲା ଗଡ଼ିବା ପରେ ଇଓଡବ୍ଲ୍ୟୁ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା। ଇଓଡବ୍ଲ୍ୟୁ ପ୍ରାଥମିକ ରିପୋର୍ଟରେ ୪ ଜଣ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଇବାରୁ ବିଏମ୍ସି ଅକଲ ଗୁଡ଼ୁମ୍ ହୋଇଛି। କାର୍ଯ୍ୟାନୁଷ୍ଠାନ ଶିକାର ଭୟରେ ବିଏମ୍ସି ସ୍ବତନ୍ତ୍ର ଅଡିଟ୍ ଆରମ୍ଭ କରିଛି। ଅତିରିକ୍ତ କମିସନରଙ୍କ ନିର୍ଦ୍ଦେଶକ୍ରମେ ଲୋକାଲ୍ ଫଣ୍ଡ ଅଡିଟ୍ ପକ୍ଷରୁ ୩ ଜଣିଆ ଦଳ ବିଏମ୍ସିରେ ପଶି ଛାନ୍ଭୀନ୍ ଆରମ୍ଭ କରିଛି। ପୁରୁଣା ଭାଉଚର ଖୋଜିବା ସହ ପୁରୁଣା ଅଡିଟ୍ ରିପୋର୍ଟ ମେଳ କରାଉଛି। ତେବେ ୪ ବର୍ଷ ହେଲା ଯେଉଁ ଭାଉଚର ମିଳିନଥିଲା ତାହା ସ୍ବତନ୍ତ୍ର ଅଡିଟ୍ରେ କିଭଳି ମିଳିବ ସେ ନେଇ ପ୍ରଶ୍ନ ଉଠିଛି। ଆଉ ଏକ ବଡ଼ ଅଭିଯୋଗ ହେଉଛି ମାମଲାକୁ ରଫାଦଫା କରିବାକୁ ଷଡ୍ଯନ୍ତ୍ର ହୋଇଛି। ଅଡିଟ୍କୁ ନକଲି ଭାଉଚର ଦେଖାଇ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଜଣେ ଅବସରପ୍ରାପ୍ତ ଅଧିକାରୀ ଉଦ୍ୟମ ଚଳାଇଛନ୍ତି।
୨୦୨୦ ମସିହା ଅଡିଟ୍ ସମୟରେ ଇଞ୍ଜିନିୟରିଂ ଉପବିଭାଗର ୪୯୦ ଫାଇଲ୍ରୁ ଲୋକାଲ ଫଣ୍ଡ ଅଡିଟ୍ ପାଖରେ ୩୫୦ ଫାଇଲ୍ ଦାଖଲ କରାଯାଇଥିଲା। ବାକି ୧୪୦ ଫାଇଲ୍ରେ ୫୪ କୋଟି ଟଙ୍କାର ହିସାବ ରହିଥିଲା। ଏହି ସବୁ ଫାଇଲ୍ ଦାଖଲ କରିବାକୁ ଅଡିଟ୍ ବିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଏମ୍ସି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏଣୁ ଫାଇଲ୍ ଦାଖଲ କରିବାକୁ ଅଡିଟ୍ ୬ଥର ବିଏମ୍ସିକୁ ଚିଠି ଲେଖିଥିଲା। ବର୍ଷେ ଅତିକ୍ରମ କରିବାରୁ ଏହି ଅର୍ଥ ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ ଅସୁଲ କରିବାକୁ ଅଡିଟ୍ ସୁପାରିସ କରିଥିଲା। କିନ୍ତୁ ବିଏମ୍ସି ଅଡିଟ୍ ସୁପାରିସ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଏଣୁ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା। ବିଏମ୍ସି ଲୋକାୟୁକ୍ତରେ ଫାଇଲ୍ ଦାଖଲ କରିବ ବୋଲି ପ୍ରାୟ ୪ ଥର ସମୟ(ତାରିଖ) ନେଇଥିଲା। କିନ୍ତୁ ଫାଇଲ୍ ଦାଖଲ ନ କରିବାରୁ ଲୋକାୟୁକ୍ତ ତତ୍କାଳୀନ ସିଟି ଇଞ୍ଜିନିୟର ଅରୁଣ ନାୟକ(ଅବସରପ୍ରାପ୍ତ)ଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହୋଇ ଉତ୍ତର ରଖିବାକୁ କହିଥିଲେ। ଲୋକାୟୁକ୍ତରେ ବ୍ୟକ୍ତିଗତ ଭାବେ ହଜର ହୋଇ ଶ୍ରୀ ନାୟକ ସ୍ବତନ୍ତ୍ର ଅଡିଟ୍ କରିବାକୁ ପ୍ରତିଶ୍ରୁତି ଦେଇ ଆସିଥିଲେ। ଇତିମଧ୍ୟରେ ସେ ଅବସର ନେଇଥିଲେ। ଏବେ ବିଳାସ କୁମାର ବେହେରା ସିଟି ଇଞ୍ଜିନିୟର ଦାୟିତ୍ବରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ୫୪ କୋଟି ଟଙ୍କା ବ୍ୟୟରେ ଡ୍ରେନ୍, ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ସେ ବାବଦରେ କୌଣସି ପ୍ରମାଣ ନଥିଲା। ନିର୍ମାଣ ନାମରେ ମିଥ୍ୟା ବିଲ୍ କରି ଏହି ମୋଟାଅଙ୍କର ଟଙ୍କା ହରିଲୁଟ୍ କରି ନେଇଥିବା ଅଭିଯୋଗ ହୋଇଥିଲା।