୫୪% ହିତାଧିକାରୀ ନେଲେଣି ପ୍ରଥମ ଡୋଜ୍: ଡିସେମ୍ବର ସୁଦ୍ଧା ରାଜ୍ୟରେ ଟିକାକରଣ ସରିବ ତ?

ଟିକା ନେଲେଣି ୧ଲକ୍ଷ ଗର୍ଭବତୀ, ଗୁରୁ ଦିବସ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ

ଭୁବନେଶ୍ବର: ରାଜ୍ୟରେ ୫୪ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେପ୍ଟେମ୍ବରରୁ ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ଆସନ୍ତା କିଛି ମାସ ଭିତରେ ଏହି ସଂଖ୍ୟା ଆହୁରି ବଢ଼ିବ। ଏପରିକି ଡିସେମ୍ବର ସୁଦ୍ଧା ରାଜ୍ୟରେ ଟିକାକରଣ ଶେଷ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯଦି କେନ୍ଦ୍ରରୁ ଟିକା ଆସିବା ଠିକ୍‌ଠାକ୍‌ ରହେ ତାହାଲେ ଡିସେମ୍ବର ସୁଦ୍ଧା ରାଜ୍ୟରେ ଟିକାକରଣ ଶେଷ ହୋଇଯିବ। କେନ୍ଦ୍ର ସରକାର ଓଡ଼ିଶାକୁ ମିଳିବାକୁ ଥିବା ଟିକାର ପରିମାଣକୁ ବଢ଼ାଇଛନ୍ତି। ତେଣୁ ରାଜ୍ୟରେ ଏବେ ଟିକାର କୌଣସି ସମସ୍ୟା ନାହିଁ। ଏବେ ସୁଦ୍ଧା ୨କୋଟି ୨୦ଲକ୍ଷ ଡୋଜ୍ ଟିକା ଦିଆଗଲାଣି। ୧.୬୬ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୫୩ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ୨୮ଲକ୍ଷ ୫୪ହଜାର କୋଭିସିଲ୍‌ଡ ଓ ୪ଲକ୍ଷ ୫୪ହଜାର କୋଭାକ୍ସିନ୍‌ ମହଜୁଦ ରହିଛି। ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଥିବା ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ସରକାର ଆସନ୍ତା ୫ତାରିଖ ସୁଦ୍ଧା ସମସ୍ତ ଶିକ୍ଷକ/ଅଣଶିକ୍ଷକଙ୍କ ଟିକାକରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେତେ ଶିକ୍ଷକ ଟିକା ନେବେ, ଜିଲ୍ଲାମାନଙ୍କୁ ଏହାର ତଥ୍ୟ ମଗାଯାଇଛି। କେବଳ ଶିକ୍ଷକମାନଙ୍କୁ ଟିକା ଦେବା ଲାଗି କିଛି ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଗଲାଣି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହେଉଥିବା ବେଳେ ଗତ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବା ନଜରକୁ ଆସିଥିବା ଡା. ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ସମୁଦାୟ ୩.୧କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଗତ ୮ ମାସରେ ରାଜ୍ୟରେ ୨.୨ କୋଟି ଡୋଜ୍ ଟିକା ଦିଆଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଲାଗି ୬.୨କୋଟି ଡୋଜ୍ ଟିକାର ଆବଶ୍ୟକତା ରହିଛି। ସେପ୍ଟେମ୍ବରରୁ ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯଦି ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯାଏ, ତାହାଲେ ଗୋଟିଏ ମାସରେ ୯୦ଲକ୍ଷ ଡୋଜ୍ ଟିକା ଦିଆଯାଇପାରିବ। ତେଣୁ ଆସନ୍ତା ୪ମାସରେ ମୋଟ ୩.୬କୋଟି ଡୋଜ୍ ଟିକା ଦେବା ସମ୍ଭବ ହେବ। ଏହା ସତ୍ତ୍ବେ ଆହୁରି ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ନାହିଁ।

ସେହିପରି କେନ୍ଦ୍ର ସରକାର ମାସକୁ ୯୦ଲକ୍ଷ ଡୋଜ୍ ଟିକା ଯୋଗାଇଦେବେ କି ନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ଏହା ପୂର୍ବରୁ କୌଣସି ମାସରେ ଏତେ ପରିମାଣର ଟିକା କେନ୍ଦ୍ରରୁ ଆସିନାହିଁ। ଅପରପକ୍ଷରେ ରାଜ୍ୟ ସରକାର ଭୁବନେଶ୍ବରରେ ଶତପ୍ରତିଶତ ଟିକାକରଣ ହୋଇଥିବା ଦାବି କରିଥିଲେ ହେଁ ଏବେ ବି ଲୋକମାନେ ପ୍ରଥମ ଡୋଜ୍ ଟିକା ନେଉଛନ୍ତି। ଘରୋଇ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କେନ୍ଦ୍ର ସରକାର ୨୫ ପ୍ରତିଶତ ହାରରେ ଘରୋଇ ହସ୍ପିଟାଲମାନଙ୍କୁ ଯେତିକି ଟିକା ଆବଣ୍ଟିତ କରୁଛନ୍ତି, ତାହାର ଯଥେଷ୍ଟ କମ୍ ଟିକା ଘରୋଇ ହସ୍ପିଟାଲମାନେ ଆଣୁଛନ୍ତି। ତେଣୁ ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ହାସଲ କରିବା ଅସମ୍ଭବ ମନେ ହେଉଛି।

ସମ୍ବନ୍ଧିତ ଖବର