ଭୁବନେଶ୍ବର: ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା ବିଜେପି ସରକାରଙ୍କ ୮ ମାସର ଶାସନକାଳ ଭିତରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଗତ ୮ ମାସ ଭିତରେ ୫୪ଟି ଦୁଷ୍କର୍ମ ଘଟଣା ସରକାରଙ୍କ ଆଇନ୍ଶୃଙ୍ଖଳା ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଣୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ଦାବିରେ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ଶନିବାର ପୂର୍ବାହ୍ଣରେ କଂଗ୍ରେସ ଭବନରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ବ୍ୟାରିକେଡ୍ ପାଖରେ ବିକ୍ଷୋଭକାରୀଙ୍କୁ ପୁଲିସ୍ ଅଟକାଇବାକୁ ଉଦ୍ୟମ କରିଥିଲା। ହେଲେ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ଉଦ୍ୟମ କରିବା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା।
ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଛାତ୍ରୀମାନେ କୁଆଁରୀ ମା’ ହେବା ସମଗ୍ର ପ୍ରାଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି। ‘ସୁଭଦ୍ରା’ ଟଙ୍କା ବାଣ୍ଟି ମହିଳାଙ୍କ ମସିହାଭାବେ ନିଜକୁ ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହିଛି। ନାରୀ ହତ୍ୟା ମାମଲା ସହ ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯାତନା, ଯୁବତୀ ଚାଲାଣ, କନ୍ୟାଭ୍ରୂଣ ହତ୍ୟା ଭଳି ‘ମହିଳାଙ୍କ ପ୍ରତି ଅପରାଧ’ରେ ଓଡ଼ିଶା ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି।
ସରକାର ଗଠନ ହେବାର ୮ମାସ ଭିତରେ ରାଜ୍ୟର ଅପରାଧ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟ ରୂପେ ପରିଗଣିତ ହେବାକୁ ବସିଲାଣି। ବେଳ ଥାଉଣୁ ସରକାର ଯଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ଏବଂ ମହିଳାମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନ ଦିଅନ୍ତି ତାହେଲେ ରାଜ୍ୟ କଂଗ୍ରେସ ସରକାରକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବ ନାହଁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଆନ୍ଦୋଳନକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଓ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପୂର୍ବତନ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ଅଶୋକ ଦାସ, ମହମ୍ମଦ ଇମ୍ଦାଦ୍ ସମେତ ଛାତ୍ର ଓ ଯୁବ କଂଗ୍ରେସର ବହୁ ଯୁବନେତା ଆନ୍ଦୋଳନରେ ସାମିଲ ହୋଇଥିଲେ।