ଏବେ ସୁଦ୍ଧା ୫୪୦ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ସ୍ବାଭାବିକ୍‌ ହୋଇପାରୁନି ଟ୍ରେନ୍‌ ସେବା। ପୂର୍ବତଟ ରେଳପଥ ମଧ୍ୟ ଦେଇ ଯାଇଥିବା ରେଳ ଲାଇନ୍‌ଗୁଡ଼ିକ ଆଜି ପର୍ଯ୍ୟନ୍ତ ଯାତାୟାତ ଉପଯୋଗୀ ହୋଇପାରିନି। ଯେଉଁଥିପାଇଁ ଏବେ ସୁଦ୍ଧା ପୂର୍ବତଟ ମଧ୍ୟ ଦେଇ ଯାଉଥିବା ଓ ଅଟକୁଥିବା ୫୪୦ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ୪୪ଟି ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଥିବା ବେଳେ ୯ଟି ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇଥିବା ଆଜି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

‘ଫନି’ ଯୋଗୁଁ ପୁରୀ ଓ ଭୁବନେଶ୍ବରରେ ରେଳ ଲାଇନ୍‌ ବ୍ୟାପକ କ୍ଷତି ହେଉଛି। କେଉଁଠି ‌ରେଳ ଲାଇନ୍‌ ବିଦ୍ୟୁତ୍‌ ଖୁଣ୍ଟି ଭାଙ୍ଗି ପଡ଼ିଛି ତ ଆଉ କେଉଁଠି ଟ୍ରାକ୍‌ ଉପରେ ଗଛ ପଡ଼ିଛି। ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ମଧ ସମ୍ପୂର୍ଣ୍ଣ ହେବାକୁ ଆହୁରି ଅଧିକ ସମୟ ଲାଗିବ। ତାହାକୁ ଦୃଷ୍ଟିରେ ରଖି ‌ଟ୍ରେନ୍‌ ବାତିଲ୍‌ ଜାରି ରହିଛି। ଗତକାଲି ସୁଦ୍ଧା ୩୦୩ଟି ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ବାତିଲ୍‌ ହୋଇଥିଲା। ଆଜି ଏଥିରେ ଆଉ ୭ଟି ଯୋଡ଼ି ହୋଇଛି। ଏହିପରି ମୋଟ ୩୧୦ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ୍‌ ହୋଇଥିବା ବେଳେ ୨୩୦ଟି ପାସେଞ୍ଜର/ମେମୁ/ଇଏମ୍‌ୟୁ/ଡିଇଏମ୍‌ୟୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଆଜି ୬ରୁ ୮ ତାରିଖ ପର୍ଯ୍ୟନ୍ତ ବାତିଲ୍‌ ହୋଇଥିବା ୭ଟି ଟ୍ରେନ୍‌ ମଧ୍ୟରେ ୭ ତା‌ରିଖ ପାଇଁ ହରିଦ୍ବାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ୍‌, ପୁରୀ-ସାଲିମାର ଏକ୍ସପ୍ରେସ୍‌, ପୁରୀ-ହରିଦ୍ବାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌, ୮ ତାରିଖ ଲାଗି ସାଲିମାର-ପୁରୀ ଏକ୍ସପ୍ରେସ୍‌, ‌ଚେନ୍ନାଇ-ସାନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍‌ ବାତିଲ୍‌ ହୋଇଛି। ଆଜି ଯିବାକୁ ଥିବା ତିରୁପତି-ଭୁବନେଶ୍ବର ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର