‘ସହରାଞ୍ଚଳ ଆବାସ’ରେ ୫୪୨୭୫ ଗୃହ ମଞ୍ଜୁର

ଭୁବନେଶ୍ୱର : ରାଜ୍ୟର ୧୧୩ଟି ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ବାସହୀନମାନଙ୍କୁ ଘର ଯୋଗାଇଦେବା ଉଦ୍ଦେଶ୍ୟରେ ସହରାଞ୍ଚଳ ଆବାସ ଯୋଜନାରେ ଅଦ୍ୟାବଧି ୫୪୨୭୫ ହିତାଧିକାରୀଙ୍କ ପାଇଁ ଗୃହ ମଂଜୁର ହୋଇଛି। ତେବେ ଗୃହ ନିର୍ମାଣ ହାର ତ୍ୱରାନ୍ଵିତ କରିବା ପାଇଁ ହିତାଧିକାରୀମାନଙ୍କୁ ସପ୍ତାହରେ ଥରେ ଯୋଗାଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ଏହି ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରି ଏବଂ ପରିଚାଳନା କମିଟି ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସୂଚନାନୁସାରେ ପ୍ରତି ଗୃହ ନିର୍ମାଣ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଏ। ଏଥିମଧ୍ୟରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦିଅନ୍ତି ୨ ଲକ୍ଷ ଟଙ୍କାର ସହାୟତା ରାଶି। କାର୍ଯ୍ୟାଦେଶ ମିଳିବାର ୪ ମାସ ଭିତରେ ଘର କାମ ସଂପୂର୍ଣ୍ଣ ହେଲେ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି।

ଏହାବ୍ୟତୀତ ପାଇଖାନା ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ମିସନରୁ ୮ ହଜାର ଟଙ୍କାର ସହାୟତା ଦିଆଯାଏ। ୨୦୧୬ ଜୁଲାଇ ମାସରୁ ବର୍ତମାନ ସୁଦ୍ଧା ମୋଟ ୫୪୨୭୫ ହିତାଧିକାରୀଙ୍କ ପାଇଁ ଗୃହ ମଞ୍ଜୁର କରାଯାଇଛି। ତେବେ କେତେ ଗୃହ ନିର୍ମାଣ କାର୍ଯ୍ୟ ସରିଛି, ସେ ନେଇ ତଥ୍ୟ ମିଳିନାହିଁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ଙ୍କ ସୂଚନାନୁଯାୟୀ ମୋଟ ୧୦୩.୫ କୋଟି ଟଙ୍କାର ସହାୟତା ରାଶି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଅନ୍‌ଲାଇନ ଟ୍ରାନ୍ସଫର ଯୋଗେ ପଠାଯାଇଛି। ଆଜିର ବୈଠକରେ ବିଭିନ୍ନ ସହରାଞ୍ଚଳ ତରଫରୁ ମିଳିଥିବା ୧୫୬.୪୦ କୋଟି ବ୍ୟୟ ଅଟକଳରେ ନୂତନ ୫୧୩୩ଟି ଗୃହ ମଞ୍ଜୁର ହୋଇଛି।

ସମ୍ବନ୍ଧିତ ଖବର