ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ଗୋଟିଏ ପରେ ଗୋଟିଏ ଜିଲ୍ଲା ହଜାରେ ସଂଖ୍ୟା ଅତିକ୍ରମ କରିବାରେ ଲାଗିଛି। ପ୍ରଥମେ ଗଞ୍ଜାମ ଜିଲ୍ଲା ହଜାରେ ସଂଖ୍ୟା ଟପିବା ପରେ ଖୋର୍ଧା ଓ ଏବେ କଟକ ଜିଲ୍ଲା ଏହି ସଂଖ୍ୟା ଅତିକ୍ରମ କରିଛି। ଏହାସହ ଯାଜପୁର ଜିଲ୍ଲା ମଧ୍ୟ ୧ହଜାର ସଂଖ୍ୟା ନିକଟତର ହୋଇଛି। ଏବେ ସମୁଦାୟ ୭ଟି ଜିଲ୍ଲା ୫ଶହ ରୋଗୀ ସଂଖ୍ୟା ଅତିକ୍ରମ କରିସାରିଛନ୍ତି। ଅପରପକ୍ଷରେ ଗଞ୍ଜାମରୁ କେବଳ ୩୦ ପ୍ରତିଶତ ରୋଗୀ ଚିହ୍ନଟ ହେବା ଜିଲ୍ଲାରେ କରୋନା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ୬୦୯ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ରାଜ୍ୟରେ ଏବେ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆଇ) ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩ଲକ୍ଷ ୪୭ହଜାର ୨୨୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆଇ ୪.୧୧ ପ୍ରତିଶତରେ ପହଞ୍ଚି ଯାଇଛି। ଏବେ କେବଳ ଲକ୍ଷଣ ଥିବା ଓ ସଂକ୍ରମିତଙ୍କ କଣ୍ଟାକ୍ଟମାନଙ୍କୁ ପରୀକ୍ଷା କରାଯାଉଥିବାରୁ ଟିପିଆଇରେ ବୃଦ୍ଧି ଘଟୁଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହୁଛନ୍ତି।

Advertisment

ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା
କରାଯାଇଥିଲା। ଏଥିରେ ୪ଜଣଙ୍କ କରୋନା ମୃତ୍ୟୁ ରହିଥିବା ବେଳେ ଅନ୍ୟ ଜଣଙ୍କର ଅଣ କୋଭିଡ୍‌ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଖୋର୍ଧା ଜିଲ୍ଲାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ୪୦ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ‌ହୋଇଥିବା ବେଳେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଭୁବନେଶ୍ବର ୭୧ବର୍ଷର ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ଖୋର୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ୮୦ବର୍ଷର ବୃଦ୍ଧି ଯିଏକି ମଧୁମେହ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ ଓ ମୁଖ କର୍କଟରେ ପୀଡ଼ିତ କଟକ ଜିଲ୍ଲାର ୭୧ବର୍ଷ ବୟସ୍କ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୪୪ ଛୁଇଁଥିବା ବେଳେ କଟକରେ ୮ଜଣଙ୍କ କରୋନା ମୃତ୍ୟୁ ହେଲାଣି। ରାଜ୍ୟରେ ଏହି ସଂଖ୍ୟା ୭୪ରେ ପହଞ୍ଚିଛି। ଏହାବାଦ୍ ସୁନ୍ଦରଗଡ଼ ଜିଲ୍ଲାର ୧ବର୍ଷ ୩ମାସର ଏକ ଶିଶୁ ଜିଏମ୍‌ ୧ ଗାଙ୍ଗଲୋସାଇଡୋସିସ୍ ଭଳି ଏକ ବିରଳ ରୋଗରେ ପ୍ରାଣ ହରାଇଛି। ଯଦିଓ ଶିଶୁଟି କରୋନା ପଜିଟିଭ୍ ଥିଲା, ମାତ୍ର ପ୍ରାଥମିକ କାରଣ କ‌ରୋନା ନ ଥିବାରୁ ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଅଣ କୋଭିଡ୍‌ ମୃତ୍ୟୁ ୨୨ ଛୁଇଁଛି। ଦୁଇ ମୃତ୍ୟୁକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ୯୬ରେ ପହଞ୍ଚିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨ଟି ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ଜଣ ରହିଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ପ ଦେଇ ୪୩୩୫ରେ ପହଞ୍ଚିଛି। ଏହାବାଦ୍ ଖୋର୍ଧା ୮୭, ସୁନ୍ଦରଗଡ଼ ୫୨, କଟକ ୩୯, ଗଜପତି ୨୯, ରାୟଗଡ଼ା ୨୪, ମୟୂରଭଞ୍ଜ ଓ କେନ୍ଦୁଝର ୨୨ଜଣ ଲେଖାଏ, ମାଲକାନାଗିରି ୧୧, କେନ୍ଦ୍ରାପଡ଼ା ୧୦, ବାଲେଶ୍ବର ୮, ପୁରୀ ଓ ବୌଦ୍ଧରେ ୭ଜଣ ଲେଖାଏ, ଝାରସୁଗୁଡ଼ା ୬, ବଲାଙ୍ଗୀର ୫, ବରଗଡ଼ ୩, ସମ୍ବଲପୁର ଓ ଢେଙ୍କାନାଳରୁ ୨ଜଣ ଲେଖାଏ, ଯାଜପୁର, ଭଦ୍ରକ, ନୟାଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ୫୪୩ ସଂକ୍ରମିତଙ୍କ ମଧ୍ୟରୁ ୩୫୪ଜଣ ସଙ୍ଗରୋଧରୁ ଓ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଦର୍ଶାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୨୮୦ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଆଜି କରୋନା ରୋଗୀ ସୁସ୍ଥ ସଂଖ୍ୟା ସବୁ ପୂର୍ବ ରେକର୍ଡ ଭାଙ୍ଗିଛି। ଗଞ୍ଜାମରେ ୨୬୮ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ରେ ୧୩୫, ଖୋର୍ଧା ୩୭, କଟକ ୩୨, ବାଲେଶ୍ବର ୨୫, କେନ୍ଦୁଝର ୨୩, ମୟୂରଭଞ୍ଜ ୧୮, ଭଦ୍ରକ ଓ ପୁରୀରେ ୧୨ଜଣ ଲେଖାଏ, ସମ୍ବଲପୁର ୮, ବରଗଡ଼ ଓ ଜଗତସିଂହପୁର ୭ଜଣ ଲେଖାଏ, ଯାଜପୁର ୬, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏ, ବଲାଙ୍ଗୀର ୩, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏ, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୮୬୪ରେ ପହଞ୍ଚିଥିବା ବେଳେ ସୁସ୍ଥ ହାର ୬୯ ପ୍ରତିଶତ ରହିଛି।