୩୦ ମିନିଟ୍‌ରେ ୫୪୩୯ ଥର ବିଜୁଳି

ଭୁବନେଶ୍ବର : ୩୦ ମିନିଟ୍‌ରେ ୫୪୩୯ ଥର ବିଜୁଳି ମାରିଛି। କଥାଟି ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ବୁଧବାର ଦିନ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଆଖପାଖ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପ୍‌ରେ ରେକର୍ଡ ହୋଇଥିବା ଏହି ଘଟଣା ସର୍ବକାଳୀନ ରେକର୍ଡ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅପରାହ୍ନ ୪ଟା ୩୦ ସମୟରେ ସଙ୍ଗଠିତ ହୋଇଥିବା ଘଡ଼ଘଡ଼ି ସହ ବିଜୁଳି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ମଧ୍ୟ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଭଦ୍ରକ ଜିଲ୍ଲାର ବାସୁଦେବପୁର, ବାଲେଶ୍ବର ଜିଲ୍ଲାର ସୋର ସମେତ ଆଖପାଖ ଅଞ୍ଚଳରେ ବିଜୁଳି ମାରିଥିବା ‘ଦାମିନୀ’ ଆପ୍‌ରୁ ଜଣାପଡ଼ିଛି। ଅଧିକାଂଶ ସମୟରେ ଏଭଳି ଘଟଣା ହେଉଥିଲେ ମଧ୍ୟ ଆଜି ୩୦ ମିନିଟ୍‌ ମଧ୍ୟରେ ଉକ୍ତ ଅଞ୍ଚଳରେ ୫ହଜାରରୁ ଅଧିକ ଥର ବିଜୁଳି ମାରିବା ବିରଳ। ‘ଦାମିନୀ’ ଆପ୍‌ ମାଧ୍ୟମରେ ପାଣିପାଗ ସମ୍ପର୍କିତ ଟିକିନିଖି ସୂଚନା ମିଳିଥ‌ାଏ। ଏହା ସମସ୍ତଙ୍କୁ ସତର୍କ କରାଏ। ଯଦି ଜଣେ ବିପଦପୂର୍ଣ୍ଣ ଜୋନ୍‌ରେ ଅଛନ୍ତି ‌ତେବେ‌ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏହା ସୂଚିତ କରାଇଥାଏ। ତେଣୁ ସମସ୍ତେ ଏହାକୁ ବ୍ୟବହାର କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର