କଟକ: ଆଜି କଟକର ୨ଟି ହସ୍ପିଟାଲରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବିରୁ ୧୧ ଜଣ ଓ ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପୁଣି ୫୫ ଜଣ କରୋନା ଚିହ୍ନଟ ହୋଇଛନ୍ତି। କ୍ୟାନ୍ସର ହସ୍ପିଟାଲରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ ଓ ସେମାନଙ୍କର ସଂପର୍କୀୟ ଏବଂ ଜଣେ ଚିକିତ୍ସକଙ୍କ ସହାୟକ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଯାଏଁ କର୍କଟ ହସ୍ପିଟାଲାରୁ ମୋଟ ୬୯ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି।
କ୍ୟାନ୍ସର ହସ୍ପିଟାଲରୁ ଗତକାଲି ୫ ଜଣ ରୋଗୀ ଓ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୯ ତାରିଖରେ ୪ ଜଣ ରୋଗୀ, ଜଣେ ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଜୁନ ୨୮ ତାରିଖରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ। ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଗତ ୨୪ ତାରିଖରେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। କର୍କଟ ରୋଗୀ ଜଣକ ହସ୍ପିଟାଲର ଜରୁରୀକାଳୀନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲାର ଏହି ରୋଗୀଙ୍କୁ ଗତ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା। ତାଙ୍କର କେମୋ ଚାଲିଥିବା ବେଳେ ଓ୍ଵାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ। କର୍କଟ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ-୧୯ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ଓ୍ଵାର୍ଡକୁ ସିଲ କରାଯିବା ସହ ସାନିଟାଇଜ୍ କରାଯାଇଥିଲା।