କଟକରେ କରୋନାର ଭୟଙ୍କର ସ୍ଥିତି : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୫୫ ଆକ୍ରାନ୍ତ

ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ୍‌କୁ ପଠାଗଲା
ମ‌ା’ ସହ ୧୦ ମାସର ପୁଅ ବି ଆକ୍ରାନ୍ତ

କଟକ : କଟକରେ କରୋନା ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ଆଜି ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ସହିତ ଏସ୍‌ସିବି ଆଇସୋଲେସନ୍‌ରୁ ୧୧, ଆଠଗଡ଼-ତିଗିରିଆରୁ ୧୭ ଓ ଟାଙ୍ଗୀରୁ ୨ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଚାର୍ଯ୍ୟ ହରିହରରେ ସ୍ଥିତି ସଙ୍ଗିନ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କେନ୍ଦ୍ରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। କେନ୍ଦ୍ରର ଜଣେ ଷ୍ଫାଫ୍ ନର୍ସ, ୧୮ଜଣ ରୋଗୀ ଓ ୩୬ ଜଣ ରୋଗୀ ସଂପର୍କୀୟ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ଆହୁରି ବ୍ୟାପକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏତେ ସଂଖ୍ୟକ କର୍କଟ ରୋଗୀ କରୋନା ସଂକ୍ରମିତ ହେବା ଘଟଣା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଏମିତିକି ପୂରା ସହରରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ପ୍ରଶାସନ ଓ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ସ୍ବତନ୍ତ୍ର କର୍ଡନ୍ କରି ଆକ୍ରାନ୍ତଙ୍କୁ ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ଅନ୍ୟପଟେ ଏସ୍‌ସିବି ଆଇସୋଲେସନ୍‌ରେ କୋଭିଡ୍‌ ଡ୍ୟୁଟି କରୁଥିବା ଷ୍ଟାଫ୍‌ ନର୍ସ, ଏନ୍‌ଡିଆରଏଫ୍‌ ଯବାନଙ୍କ ସମେତ କଟକରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କଟକ ଜିଲ୍ଲାରେ ଆଜିସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୫ରେ ପହଞ୍ଚିଛି।

ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନ‌ା ଅନୁସାରେ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୨୯ ତାରିଖରୁ ୧ ତାରିଖ ମଧ୍ୟରେ ୩୯୨ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। ସେଥିରୁ ୫୫ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ପୂର୍ବରୁ ଆଚାର୍ଯ୍ୟ ହରିହରରୁ ୧୨ଜଣ କରୋନା ସଂକ୍ରମିତ ହୋଇଥିଲେ। ସେହିପରି ଏସ୍‌ସିବି ଆଇ‌ସୋଲେସନ୍‌ରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାର ରହିଛନ୍ତି ୭ଜଣ। କଟକର ଲାଲବାଗ ଅଞ୍ଚଳର ୩୦ବର୍ଷୀୟ ଯୁବକ, ମଙ୍ଗଳବାଗ୍‌, କଣ୍ଟାପଡା ବ୍ଲକ୍‌ ଗୋବିନ୍ଦପୁରରୁ ଦିଲ୍ଲୀ ଫେରନ୍ତା ମା’ ଓ ୧୦ ମାସର ପୁଅ, ସାଲେପୁର, କିଶନନଗର ଅଂଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ଏନ୍‌ଡିଆରଏଫ୍‌ ଯବାନ ମଧ୍ୟ ଚିହ୍ନଟ ହୋଇଛନ୍ତି। ‌ବାକି ସମସ୍ତ ଆକ୍ରାନ୍ତ ଯାଜପୁର ଓ ଅନ୍ୟ ଜିଲ୍ଲାର ବୋଲି ଜଣାପଡ଼ିଛି। ଅନ୍ୟପଟେ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ, ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରୁ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଆଗ୍ରାହାଟ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଜଣେ ଓ ଜରିପଡା ସଙ୍ଗରୋଧ କେନ୍ଦ୍ରରୁ ଜଣେ। ଆଗ୍ରାହାଟ ପଞ୍ଚାୟତରୁ ଚିହ୍ନଟ ବ୍ୟକ୍ତି ଜଣକ ୨୧ ତାରିଖରେ କୋଲକାତାରୁ ଫେରିଥିଲେ। ଜରିପଡା ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ଯୁବକ ଜଣକ ମହାରାଷ୍ଟ୍ରରୁ ଫେରିଥିବା ବେଳେ ୨୪ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଉଭୟଙ୍କର ଜୁନ ୩୦ ତାରିଖରେ ସ୍ୱାବ୍‌ ଟେଷ୍ଟ କରାଯାଇଥିବା ବେଳେ ଆଜି ପଜିଟିଭ ରିପୋର୍ଟ ଆସିଛି। ଉଭୟଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ପୂର୍ବରୁ କରୋନା ପଜିଟିଭ ହୋଇଥିବା ବଡମ୍ବାର ପୁଲିସ ଅଧିକାରୀଙ୍କ ସଂପର୍କରେ ୧୭ରୁ ଅଧିକ ପୁଲିସ କର୍ମଚାରୀ, ସ୍ଥାନୀୟ ଲୋକ ଓ ଆଜି ଏସ୍‌ଡିପିଓଙ୍କ ପୂରା ପରିବାର ଓ ଜଣେ ପୁଲିସ କନେଷ୍ଟବଳ ଓ ଧାଇପୁର ସଂକ୍ରମିତ ଦମ୍ପତିଙ୍କ ସଂପର୍କରେ ଶ୍ବଶୁର, ବୋହୂ, ଆଠଗଡ଼ ବ୍ଲକ୍‌ର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ୧୭ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେଥିରୁ ୧୫ଜଣ ସ୍ଥାନୀୟ ସଂପର୍କରେ ଆସି ସଂକ୍ରମିତ ହୋଇଥିବା ବେଳେ ୨ଜଣ ଟିଏମ୍‌ସିରୁ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଆଠଗଡ଼ ଓ ତିଗିରିଆରୁ ବ୍ଲକ୍‌ରୁ ୧୭ଜଣ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୫ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୁରୁଣା ତିଗିରିଆ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର