କଣ୍ଟାବାଞ୍ଜି: ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ପୁଲିସ ସ୍ଥାନୀୟ ଦାଦନ ସର୍ଦ୍ଦାର ବେଦପ୍ରକାଶ ବେହେରାଙ୍କ ଘରୁ ୫୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ରହିଛନ୍ତି। ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟରୁ ଅଧିକାରୀମାନେ ଆସି ସମସ୍ତ ଦାଦନ ଶ୍ରମିକମାନଙ୍କ କାଗଜପତ୍ର ଯାଞ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ ଦୁଇ ଦାଦନ ସର୍ଦ୍ଦାର ବେଦପ୍ରକାଶ ବେହେରା (୩୭) ଓ ବ୍ରଜେଶ ବେହେରାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଖୋଜୁଛି।

Advertisment

ଚାଲାଣ ଯୋଜନା ଭଣ୍ଡୁର, ୨ ଚମ୍ପଟ
ଖେଳନା ପିସ୍ତଲ, ଲାପ୍‌ଟପ୍‌ ସହ ୧ ହଜାର ଭୋଟର୍‌କାର୍ଡ ଜବତ

ସୂଚନା ମୁତାବକ ଶୁକ୍ରବାର ରାତିରେ ଶ୍ରମିକ ଚାଲାଣ ସଂପର୍କରେ ଖବର ପାଇ ପୁଲିସ ଟିମ୍ କଣ୍ଟାବାଞ୍ଜି ୮ ନମ୍ବର ୱାର୍ଡ ଆନନ୍ଦନଗରରେ ଥିବା ବେଦପ୍ରକାଶଙ୍କ ଘରକୁ ଯାଇଥିଲା। ପୁଲିସ ଟିମ୍‌ ପହଞ୍ଚିବା ପରେ ମଧ୍ୟ ‌ଘର ମୁଖ୍ୟ ଗେଟ୍‌ ଦୁଇ ଘଣ୍ଟା ପର୍ଯ୍ୟନ୍ତ କେହି ଖୋଲି ନଥିଲେ। ଗେଟ୍‌ ଖୋଲି ଯାଞ୍ଚ କରାଯିବାରୁ ଦାଦନ ଶ୍ରମିକ ଥିବା ଜଣାପଡ଼ିଥିଲା। ଶନିବାର ସକାଳେ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ଘର ଓ ଘରେ ଥିବା ଅଫିସକୁ ତଦାରଖ କରାଯାଇଥିଲା। ଯାଞ୍ଚ ସମୟରେ ସର୍ଦ୍ଦାର ସ୍ବର୍ଗତ ଅର୍ଜୁନ ବେହେରାଙ୍କ ନାଁରେ ଶ୍ରମିକ ଚାଲାଣ କାଗଜପତ୍ର ହୋଇଥିବା ଏବଂ ବ୍ରଜେଶ ବେହେରାଙ୍କ ଶ୍ରମିକ ଚାଲାଣ ଲାଇସେନ୍ସ ରଦ୍ଦ ହୋଇଥିବା ଜଣାପଡ଼ିଥିଲା। ଧରପଗଡ଼ ବେଳେ ଅଫିସରୁ ନଗଦ ୧ ଲକ୍ଷ ୬୭ ହଜାର ଟଙ୍କା, ୧୫ଟି ବିଭିନ୍ନ ବ୍ୟାଙ୍କ ଜମାଖାତା, ଗୋଟିଏ ଲାପ୍‌ଟପ୍‌, ୩ଟି ରେଜିଷ୍ଟର, ହଜାରେ ଲୋକଙ୍କ ଭୋଟରକାର୍ଡ/ଆଇକାର୍ଡ, ଗୋଟିଏ ଖେଳନା ପିସ୍ତଲ ଜବତ କରାଯାଇଛି। ଏହି ଚଢ଼ଉରେ କଣ୍ଟାବାଞ୍ଜି ଥାନାର ସମସ୍ତ କର୍ମଚାରୀ, ତୁରେକେଲା ଓ ମୁରିବାହାଲ ଅତିରିକ୍ତ ଶ୍ରମ ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଫେରାର ବ୍ରଜେଶ ବେହେରା ଓ ବେଦପ୍ରକାଶ ବେହେରାଙ୍କୁ ଖୋଜିବା ଲାଗି ପୁଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି।